ଆଗକୁ ନିର୍ବାଚନ ଥିବାରୁ ନିର୍ବାଚନ କମିଶନ ଭୋଟିଙ୍ଗ ମେସିନ ଗୁଡ଼ିକର ପ୍ରଥମ ପର୍ଯ୍ୟାୟ ଯାଞ୍ଚ ଆରମ୍ଭ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ୨୦୨୪ ଲୋକସଭା ନିର୍ବାଚନ ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଛି । ଏଥିପାଇଁ, ନିର୍ବାଚନ କମିଶନ ସମଗ୍ର ଦେଶରେ ଇଭିଏମ ଏବଂ ପେପର୍ଟ୍ରେଲ୍ ମେସିନର ପ୍ରଥମ ପର୍ୟ୍ୟାୟ ଯାଞ୍ଚ ଆରମ୍ଭ କରିଛି । ନିର୍ବାଚନ କମିଶନର ଜଣେ କାର୍ୟ୍ୟକର୍ତ୍ତା କହିଛନ୍ତି, ସମଗ୍ର ଭାରତରେ ଏହି ଯାଞ୍ଚ ପ୍ରକ୍ରିୟା ଚାଲିବ। କେରଳର ସମସ୍ତ ନିର୍ବାଚନ ମଣ୍ଡଳୀ ସମେତ ପର୍ୟ୍ୟାୟକ୍ରମେ ସମଗ୍ର ଦେଶରେ ପ୍ରଥମ ପର୍ୟ୍ୟାୟ ଯାଞ୍ଚ ଚାଲିବ। ମକ୍ ପୋଲ୍ ହେଉଛି ଏହି ପ୍ରଥମ ପର୍ୟ୍ୟାୟ ଯାଞ୍ଚ ପ୍ରକ୍ରିୟାର ଅଂଶବିଶେଷ ବୋଲି ସେମାନେ କହିଥିଲେ ।
ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ମାସରେ ସୁରତର ସେସନ୍ ଅଦାଲତ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କୁ ଏକ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେବାରୁ ତାଙ୍କୁ ଲୋକସଭା ସଦସ୍ୟତା ପାଇଁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଫଳରେ ରାହୁଲ୍ ପ୍ରତିନିଧିତ୍ବ କରୁଥିବା କେରଳର ୱାୟାନାଡ଼ ଲୋକସଭା ନିର୍ବାଚନ ମଣ୍ଡଳି ଖାଲି ପଡ଼ିଛି। ସେଠାରେ ମକ୍ ପୋଲ୍ ଚାଲିଥିବା ବେଳେ ନିର୍ବାଚନ କାର୍ୟ୍ୟକର୍ତ୍ତାଜଣକ ଉପରୋକ୍ତ ସୂଚନା ପ୍ରଦାନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରତ୍ୟେକ ଯାଞ୍ଚ ପ୍ରକ୍ରିୟା ନିମନ୍ତେ ନିର୍ବାଚନ କମିଶନ କ୍ୟାଲେଣ୍ଡର ଜାରି କରିଛନ୍ତି। ଏହଛଡ଼ା, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିମନ୍ତେ ନିର୍ଦ୍ଧାରିତ ନିର୍ଦେଶନାମା ମଧ୍ୟ ରହିଛି।
