ବୃକ୍ଷ ହିଁ ଜୀବନ ମନ୍ତ୍ରରେ ଅନୁପ୍ରାଣିତ ହୋଇ ପରିବେଶ ରକ୍ଷା କରିବାରେ ଉଦାହରଣ ସୃଷ୍ଟି କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଆରିକମାର ଗ୍ରାମବାସୀ । କାଠ ମାଫିଆଙ୍କ ଦୌରାତ୍ମ୍ୟକୁ ଖାତିର ନକରି ବିନା ପାରିଶ୍ରମିକରେ ଦୀର୍ଘ ୫୦ ବର୍ଷରୁ ଅଧିକ ବର୍ଷ ଧରି ଆରିକମାର ମା’ କୋଶଳାଶୁଣୀ ବନ ସୁରକ୍ଷା ସମିତି ଗ୍ରାମର ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛି । ଯାହାକୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହେବା ସହ ଉଦାହରଣ ପାଲଟିଛନ୍ତି ଏହି ସମିତିର ସଦସ୍ୟବୃନ୍ଦ ।
ଗ୍ରାମର ଚାରିପଟରେ କେବଳ ଜଙ୍ଗଲ ହିଁ ଜଙ୍ଗଲ । ଏହି ଜଙ୍ଗଲର ଶତକଡ଼ା ୮୦ ଭାଗରେ କେବଳ ଶାଳ ବୃକ୍ଷ ରହିଥିବା ବେଳେ ଏହାକୁ ଛାଡ଼ି ମହୁଲ, ପିଆଶାଳ, ଅସନ, ଶିଶୁ, କୁରୁମ, ବାନ୍ଧଣ ଆଦି ବିଭିନ୍ନ ପ୍ରକାର ବୃକ୍ଷ ମଧ୍ଯ ରହିଛି । ୩ ଶହ ହେକ୍ଟରରୁ ଉର୍ଦ୍ଦ୍ବ ଏହି ଜଙ୍ଗଲକୁ ଦୀର୍ଘ ୫୦ ବର୍ଷ ଧରି ବିନା ପାରିଶ୍ରମିକରେ ଜଗି ଆସୁଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଆରିକମାର ଗ୍ରାମର ପ୍ରାୟ ୧୫୦ ପରିବାର । କେବଳ ଜାଲେଣୀ ପାଇଁ ଶୁଖିଲା ପତ୍ରକୁ ଛାଡ଼ିଦେଲେ କାଠି ଖଣ୍ଡିଏ ମଧ୍ଯ ଜଙ୍ଗଲରୁ ଅନ୍ୟତ୍ର ଯିବାକୁ ଦେଇନାହାନ୍ତି ଗ୍ରାମବାସୀ । ସହରକୁ ସୌନ୍ଦର୍ଯ୍ୟ କରିବା ପାଇଁ ଦିନକୁ ଦିନ ବୃକ୍ଷ କଟା ଯାଉଥିବା ବେଳେ ଏଠାରେ ଗ୍ରାମବାସୀଙ୍କ ଏଭଳି ପଦକ୍ଷେପ ଉଦାହରଣ ସୃଷ୍ଟି କରିଛି । ଆରିକମାର ଗ୍ରାମବାସୀମାନେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକଟି ପରିବାର ପାଳି କରି ଏହି ଜଙ୍ଗଲ ଜଗିଆସୁଛନ୍ତି । ଗ୍ରାମର ପ୍ରତ୍ୟେକ ଘରୁ ଜଣେ ଲେଖାଁଏ ମାସକୁ ଦୁଇ ଦିନ ଜଙ୍ଗଲ ସୁରକ୍ଷା ପାଇଁ ସମୟ ଦେଇଥାଆନ୍ତି । ପ୍ରତିଦିନ ୭ରୁ ୧୦ ଜଣ ଏହି ଜଙ୍ଗଲରେ ରାତ୍ର ସମୟରେ ପେଟ୍ରୋଲିଂ କରିଥାନ୍ତି । ଜଙ୍ଗଲୀ ଜନ୍ତୁ, ମୂଲ୍ୟବାନ ବୃକ୍ଷ, ସହ କାଠ ମାଫିଆମାନଙ୍କ ଲୋଲୁପ ଦୃଷ୍ଟିରୁ ଗ୍ରାମବାସୀମାନେ ଏହି ଜଙ୍ଗଲକୁ କାହିଁ କେତେ ଦିନରୁ ସୁରକ୍ଷା ଦେଉଆସୁଛନ୍ତି। ଏଭଳି ମହତ କାମ ପାଇଁ କୋଶଳାଶୁଣୀ ଜଙ୍ଗଲ ସୁରକ୍ଷା ସମିତିକୁ ଅନେକ ସମୟରେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ପୁରସ୍କୃତ ମଧ୍ଯ କରାଯାଇଛି । ଯାହାକୁ ନେଇ ଗ୍ରାମବାସୀ ନିଜକୁ ଗର୍ବିତ ମନେ କରନ୍ତି । ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଦ୍ବ ବର୍ଷ ଧରି ନିଜ ହାତରେ ସୃଷ୍ଟି କରିଥିବା ଜଙ୍ଗଲର ସୁରକ୍ଷା ଜୀବଜନ୍ତୁଙ୍କ ଜୀବନ ପ୍ରତି ମଧ୍ୟ ଗ୍ରାମବାସୀ ବେଶ ସଜାଗ ରହିଥାଆନ୍ତି । ତେବେ ଜଙ୍ଗଲୀ ଦ୍ରବ୍ୟର ସଦୁପୋଯୋଗ କରିବା ପାଇଁ ସରକାର ଖଲି ଠୋଲା ତିଆରି ପାଇଁ ତାଲିମ ପ୍ରଦାନ କଲେ ଗ୍ରାମର ବେକାରୀ ଯୁବକଙ୍କୁ କର୍ମ ନିଯୁକ୍ତି ମିଳିପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି । ଅନ୍ୟପଟେ ଜଙ୍ଗଲ ଜାତ ଦ୍ରବ୍ୟକୁ ନଷ୍ଟ ନକରି ଏହାକୁ ବ୍ୟବହାର ଉପଯୋଗୀ କରିବା ପାଇଁ ଜିଳ୍ଲା ପ୍ରଶାସନ ପାଖରେ ନିବେଦନ କରାଯାଇଛି ।
