ତାତିରେ ସିଝୁଛି ସାରା ରାଜ୍ୟ । ତାତି ସାଙ୍ଗକୁ ଗୁଳୁଗୁଳିରେ ହନ୍ତସନ୍ତ ଜନଜୀବନ । ସକାଳୁ ସକାଳୁ ଭୁବନେଶ୍ୱରରେ ତାତି ସଙ୍ଗକୁ ଗୁଳୁଗୁଳି ରେ ବାହାରକୁ ବାହାରିବା ଅସମ୍ଭବ ହୋଇପଡୁଛି । ସକାଳ ୫ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୩୦ଡିଗ୍ରୀ ରହିଥିବା ବେଳେ ଆର୍ଦ୍ରତା ୮୮ପ୍ରତିଶତ ଥିବାରୁ ଅତ୍ୟନ୍ତ ଗରମ ସଙ୍ଗକୁ ଗୁଳୁଗୁଳି ରେ ଜନଜୀବନ ଅତିଷ୍ଠ ହୋଇପଡିଲାଣି । ଆହୁରି ୨ଦିନ ଯାଏଁ ରାଜ୍ୟରେ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବା ନେଇ ସମ୍ଭାବନା ନଥିବା କହିଛନ୍ତି ପାଣିପାଗ ବିଭାଗ । କିଛି ସ୍ଥାନରେ ସ୍ୱାଭାବିକଠାରୁ ୪ ରୁ ୬ ଡିଗ୍ରୀ ଉପରେ ପାରଦ ରହିପାରେ । ତାତି ଅଧିକ ରହୁଥିବାରୁ ଏଥର ରଜରେ କୋହଲା ପାଗ ଦେଖିବାକୁ ମିଳିନପାରେ । କାରଣ ଆସନ୍ତା ୧୯ ତାରିଖ ଯାଏଁ ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାକୁ ଗରମ ଓ ଗୁଳୁଗୁଳିରୁ ମୁକ୍ତି ମିଳିବ ନାହିଁ । ସ୍ୱାଭାବିକ ତାପମାତ୍ରା ଠାରୁ ୪ରୁ ୬ ଡିଗ୍ରୀ ଅଧିକ ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରାଯାଇଛି । ତେଣୁ ୨୦ ତାରିଖ ପୂର୍ବରୁ ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବାର ସମ୍ଭାବନା କମ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତାତି ବଢୁଥିବାରୁ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅଂଶୁଘାତ ଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୋଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିଭଳି ୪ଟି ଜିଲ୍ଲା ସୁନ୍ଦରଗଡ, କନ୍ଧମାଳ, ନୂଆପଡା ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ରାଜ୍ୟରେ ୮ଟା ୩୦ ସୁଦ୍ଧା ଝାରସୁଗୁଡା ତାପମାତ୍ରା ୩୭.୨ ଡିଗ୍ରୀ । ସେହିପରି ସମ୍ବଲପୁର ୩୬.୬ ଡ଼ିଗ୍ରୀ, ହୀରାକୁଦ ୩୫.୪ ଡ଼ିଗ୍ରୀ, ଭୁବନେଶ୍ୱର ୩୫ ଡ଼ିଗ୍ରୀ, କେନ୍ଦୁଝର ୩୫ ଡ଼ିଗ୍ରୀ, ପୁରୀ ୩୪.୬ ଡ଼ିଗ୍ରୀ, ବାଲେଶ୍ୱର ୩୪.୨ ଡ଼ିଗ୍ରୀ, ଚାନ୍ଦବାଲି ୩୪ ଡ଼ିଗ୍ରୀ, ପାରାଦୀପ ୩୨.୪ ଡ଼ିଗ୍ରୀ, ଗୋପାଳପୁର ୩୨.୪ ଡ଼ିଗ୍ରୀ ରେକର୍ଡ କରାଯାଇଛି ।
