Tuesday, August 26, 2025
spot_imgspot_img
Homeତାଜା ଖବରବାହାନଗା ରେଳ ଦୁର୍ଘଟଣା : ପଶ୍ଚିମବଙ୍ଗ ପରେ ବିହାରର ସର୍ବାଧିକ ବ୍ୟକ୍ତି ମୃତାହତ

ବାହାନଗା ରେଳ ଦୁର୍ଘଟଣା : ପଶ୍ଚିମବଙ୍ଗ ପରେ ବିହାରର ସର୍ବାଧିକ ବ୍ୟକ୍ତି ମୃତାହତ

ବାହାନଗା ରେଳ ଦୁର୍ଘଟଣାରେ ପଶ୍ଚିମବଙ୍ଗ ପରେ ବିହାରର ସର୍ବାଧିକ ବ୍ୟକ୍ତି ମୃତାହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ଏବଂ ପ୍ରବାସୀ ଶ୍ରମିକ। କିନ୍ତୁ ସେମାନଙ୍କୁ ସହାୟତା ପାଇଁ ଏମ୍‌ସରେ ବିହାର ସରକାରଙ୍କ ଦେଖା ନଥିଲା। ଗତକାଲି ସଂଧ୍ୟାରେ କିଛି ପଦସ୍ଥ ଅଧିକାରୀ ଏମ୍‌ସ ପହଞ୍ଚିଥିବା ଜଣାପଡ଼ିଛି। ଏବେଯାଏ ଏମ୍‌ସ ପରିସରରେ ସମାଜସେବୀମାନେ ରୋଗୀ ଏବଂ ତାଙ୍କ ପରିଜନଙ୍କୁ ସହଯୋଗ କରିଛନ୍ତି।

ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କୁ ଚିହ୍ନଟ ପାଇଁ ପରିଜନଙ୍କ ଭିଡ଼ ଲାଗିଛି। ବୁଢ଼ୀ ମା’ ନିଜ ପୁଅକୁ ଖୋଜିବା ବେଳେ କୋହ ଚାପି ଦେଉଛି ତ ଛୋଟ ଭାଇକୁ ନ ପାଇ ବଡ଼ ଭାଇ ଛୋଟ ପିଲା ଭଳି କାନ୍ଦି ପକାଉଛି। ଅଧିକାଂଶ ନିଜ ବନ୍ଧୁ ଏବଂ ପରିଜନଙ୍କୁ ଖୋଜିବାରେ ବ୍ୟସ୍ତ ବିବ୍ରତ ହୋଇ ପଡ଼ୁଛନ୍ତି। ପରିସ୍ଥିତି ଅନୁସାରେ ଅନେକ କିନ୍ତୁ ନିଜ କୋହ ଏବଂ ଲୁହକୁ ଚାପି ପକାଇଥିଲେ। ବର୍ତ୍ତମାନ ଯେଉଁଭଳି ଅବସ୍ଥା ରହିଛି ଏହି ଅବସ୍ଥା ଏମ୍‌ସ ପରିସରରେ ଆଉ କିଛି ଦିନ ଲାଗି ରହିବ। ମୃତକଙ୍କୁ ସହାୟତା ପାଇଁ ଆନାଟୋମି ବିଭାଗରେ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ହେଲ୍ପ ଡେସ୍କ ଖୋଲାଯାଇଛି। ଯେଉଁଠି ପ୍ରତ୍ୟେକ ମୃତକଙ୍କ ସ୍ବତନ୍ତ୍ର ଫଟୋ ଜାରି କରାଯିବା ସହିତ କିଏ ଡାକ୍ତରଖାନାରେ ଅଛନ୍ତି ତାହା ଅହରହ ପ୍ରୋଜେକ୍ଟରରେ ଦେଖାଯିବାର ବ୍ୟବସ୍ଥା କରାଯାଇଛି।

ଆଉ ଏକ ସାମାଜିକ ସଙ୍ଗଠନ ମଧ୍ୟ ନିଜ ପ୍ରୋଜେକ୍ଟରେ ପରିଜନଙ୍କୁ ଫଟୋ ଦେଖାଇ ଚିହ୍ନଟ କରିବାରେ ସହାୟତା କରୁଛନ୍ତି। ଏହି ଦୁ୍ର୍ଘଟଣାରେ ପଶ୍ଚିମବଙ୍ଗର ସର୍ବାଧିକ ମୃତ ଏବଂ ଆହତ ଥିବାରୁ ପଶ୍ଚିମବଙ୍ଗର ପଦସ୍ଥ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ହେଲ୍ପ ଡେସ୍କ ଖୋଲିଛି। ଯେଉଁଠି ପଶ୍ଚିମବଙ୍ଗର ପ୍ରତ୍ୟେକ ବ୍ୟକ୍ତିଙ୍କ ମୃତଦେହ ଚିହ୍ନଟ ଏବଂ ଶବ ହସ୍ତାନ୍ତର ନେଇ ସହାୟତା କରାଯାଉଛି। ଦୁର୍ଘଟଣାରେ ଆନ୍ଧ୍ରପ୍ରଦେଶର ଜଣକର ମୃତ୍ୟୁ ହୋଇଛି। କିନ୍ତୁ ୩୦ ଜଣ ଯାତ୍ରୀ ନିଖୋଜ ଥିବା ନେଇ ଅଭିଯୋଗ ଆସିବା ପରେ ଆନ୍ଧ୍ରପ୍ରଦେଶ ସବଇନ୍ସପେକ୍ଟର ଏସକେ ସରିଫଙ୍କ ନେତୃତ୍ବରେ ୪ ଜଣିଆ ପୁଲିସ ଦଳ ଓଡ଼ିଶା ପହଞ୍ଚିଛନ୍ତି। ସେମାନେ ଦୁଇ ଦିନ ବାଲେଶ୍ବର ରହିବା ପରେ ଆଜି ଭୁବନେଶ୍ବରରେ ରହିଛନ୍ତି। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୧୦ ଜଣ ଜୀବିତାବସ୍ଥାରେ ଘରକୁ ଫେରିଥିବା ଜଣାଇଛନ୍ତି।

ହେଲେ ବିହାରର ଏତେ ଲୋକ ମୃତାହତ ଥାଇ ମଧ୍ୟ ପ୍ରଶାସନର କୌଣସି ହେଲ୍ପ ଡେସ୍କ କିମ୍ବା ସହଯୋଗ ପାଇଁ ପ୍ରଶାସନ, ପୁଲିସ ସହାୟତା ଦଳ ନଥିବାରୁ ଲୋକଙ୍କ ଦୁର୍ଦ୍ଦଶା ଏବଂ କଷ୍ଟ ଶୁଣିବାକୁ କେହିନଥିବା ନୀତିଶ ସରକାରଙ୍କ ସମ୍ବେଦନଶୀଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯେଉଁଠି ସରକାର ପଚାରୁ ନାହାନ୍ତି ସେଠି ଅନେକ ସମାଜସେବୀ ବ୍ୟକ୍ତିଗତ ଉଦ୍ୟମରେ ସହଯୋଗର ହାତ ବଢାଇଛନ୍ତି। ମୃତକଙ୍କୁ ଚିହ୍ନଟ ପାଇଁ ଆସିଥିବା ପରିଜନଙ୍କ ଖାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଭୁବନେଶ୍ବରର ବରିଷ୍ଠ ନାଗରିକ କମିଟି ହେଲ୍ପ ଡେସ୍କ ଖୋଲି ଲୋକଙ୍କୁ ସବୁ ପ୍ରକାର ସହଯୋଗ କରୁଥିଲେ।

ସାମାଜିକ କର୍ମକର୍ତ୍ତା ଋଷି ବ୍ୟକ୍ତିଗତ ଉଦ୍ୟମରେ ବାହାର ରାଜ୍ୟର ବ୍ୟକ୍ତିଙ୍କୁ ସେମାନଙ୍କ ମୃତ ପରିଜନଙ୍କୁ ଚିହ୍ନଟ କରିବାରେ ସବୁ ପ୍ରକାର ଚେଷ୍ଟା କରିଥିଲେ। ଆରଏସଏସର ଯୁବ ପ୍ରତିନିଧି ଦଳଙ୍କ ଦୁଇ ଦିନ ଧରି କରୁଥିବା କାର୍ଯ୍ୟ ପ୍ରଶଂସନୀୟ ଥିଲା। ଏହି ଦଳର ୮ ଜଣ ଯୁବକ ସକାଳେ ମୃତକଙ୍କ ପରିଜନଙ୍କୁ ବିଭିନ୍ନ ପ୍ରକାର ସହାୟତା କରିବା ସହିତ ସଂଧ୍ୟାରେ ଶବ ଉଠାଇବାରେ ମଧ୍ୟ ସହଯୋଗ କରୁଥିଲେ। ସ୍ଥାନୀୟ କର୍ପୋରେଟରଙ୍କ ପକ୍ଷରୁ ମାସ୍କ, ପାଣି ବଣ୍ଟନ କରାଯାଇଥିଲା। ଏମ୍‌ସ ଗେଟ୍ ସମ୍ମୁଖରେ ଜଣେ କର୍ମଚାରୀ ଏମସ ପକ୍ଷରୁ ସମସ୍ତଙ୍କୁ ମାସ୍କ ବାଣ୍ଟୁଥିଲେ। ଏହାବାଦ ମଧ୍ୟ ଆହୁରି ଅନେକ ସମାଜସେବୀ ଅଛନ୍ତି ଯେଉଁମାନେ ପ୍ରଚାର-ପ୍ରସାର ବିନା ନିଜ କାର୍ଯ୍ୟ କରୁଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments