ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ବଡ଼ ସଫଳତା। ବିଶ୍ୱ ପାଣିପାଗ ସଂସ୍ଥାର ଉପାଧ୍ୟକ୍ଷ ହେଲେ ଆଇଏମ୍ଡିର ନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର । ବିଶ୍ୱ ପାଣିପାଗ ସଙ୍ଗଠନର ଉପାଧ୍ୟକ୍ଷ ଭାବେ ସେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଶ୍ୱ ପାଣିପାଗ ସଙ୍ଗଠନ ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ୧୪୮ ଭୋଟ୍ ମଧ୍ୟରୁ ୧୧୩ ଭୋଟ୍ ପାଇ ବଡ଼ ବିଜୟ ହାସଲ କରିଛନ୍ତି। ୪ ବର୍ଷ ପାଇଁ ସେ ଏହି ପଦବୀରେ ରହିବେ । ଡଗଙର ତୃତୀୟ ଭାଇସ୍ ପ୍ରେସିଡେଣ୍ଟ ପୋଷ୍ଟ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଡଗଙ କାର୍ୟ୍ୟକାରୀ କମିଟିରେ ଜଣେ ଅଧ୍ୟକ୍ଷ ରହୁଥିବାବେଳେ ୩ ଜଣ ଉପାଧ୍ୟକ୍ଷ ରହିଥାନ୍ତି । ବର୍ତ୍ତମାନ ମୃତ୍ୟୁଞ୍ଜୟ ମହାପାତ୍ର, ତୃତୀୟ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ପାଣିପାଗ ବିଜ୍ଞାନ କ୍ଷେତ୍ରରେ ଡ. ମହାପାତ୍ର ୩୦ ବର୍ଷ ଧରି କାର୍ୟ୍ୟ କରି ଆସୁଥିବା ବେଳେ ବର୍ତ୍ତମାନ ପର୍ୟ୍ୟନ୍ତ ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ୯୦ରୁ ଊର୍ଦ୍ଧ୍ବ ବାତ୍ୟା ସମ୍ପର୍କରେ ସେ ଆକଳନ କରିଛନ୍ତି। ଫାଇଲିନ୍, ହୁଡହୁଡ୍, ତିତଲି ଓ ଫନି ଭଳି ବାତ୍ୟାର ଲ୍ୟାଣ୍ଡଫଲ ଓ ବେଗ ସମ୍ପର୍କରେ ସଠିକ୍ ଆକଳନ କରି ଚର୍ଚ୍ଚାରେ ଥିଲେ। ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱରରେ ଜନ୍ମିତ ମୃତ୍ୟୁଞ୍ଜୟ ମହାପାତ୍ର ଆଇଆଇଟି ଦିଲ୍ଲୀର ଛାତ୍ର। ଭାରତରେ ସେ ‘ସାଇକ୍ଲୋନ୍ ମ୍ୟାନ’ ଭାବେ ପରିଚୟ ପାଇଛନ୍ତି। ଓଡ଼ିଆ ପୁଅଙ୍କ ଏଭଳି ଅପୂର୍ବ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ନିଶ୍ଚିତ ଯେ, ପାଣିପାଗ ବିଜ୍ଞାନରେ ତାଙ୍କର ବିପୁଳ ଅଭିଜ୍ଞତା ସହିତ ସେ ନୂତନ ଉଚ୍ଚତା ବୃଦ୍ଧି କରିବେ ଏବଂ ଓଡିଶା ଏବଂ ଦେଶକୁ ଗର୍ବିତ କରିବେ । ତାଙ୍କୁ ଆଗକୁ ଏକ ସଫଳ କାର୍ୟ୍ୟକାଳ କାମନା କରୁଛୁ ।
