ଆଗାମୀ ଜୁନ୍ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାରେ ପୁରୀ ସହରକୁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ଜଗିବେ। ରଥ ଯାତ୍ରା ସମୟରେ ସଂପୂର୍ଣ୍ଣ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା ବୈଠକ କରିଛନ୍ତି ଏଡିଜି ଆମିତାବ୍ ଠାକୁର। ପୁରୀ ଏସପି ଅଫିସରେ ଏନେଇ ଏକ ବୈଠକ କରାଯାଇଥିଲା। ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, କମଶନରେଟ୍ ପୋଲିସର ଅତିରିକ୍ତ କମିଶନର ଉମାଶଙ୍କର ଦାସ, ପୁରୀ ଏସପି କନ୍ୱର୍ ବିଶାଲ ସିଂହଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ। ଏଥିପାଇଁ ପୁରୀ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।ଚଳିତବର୍ଷ ରଥଯାତ୍ରାରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁମାନଙ୍କର ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ବ୍ୟବସ୍ଥାକୁ ପରିଚାଳନା ନେଇ ଆଜି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ତଥା ଟ୍ରାନ୍ସପୋର୍ଟ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ମୋଟ ୩୦ଟି ପାର୍କିଂ ସ୍ଥଳୀ ବ୍ୟବସ୍ଥା କରାଯାଇଛି। ସେହିପରି ଟ୍ରାଫିକ୍ ବ୍ୟବସ୍ଥା ପରିଚାଳନା ପାଇଁ ପୁରୀକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଏହି ଟ୍ରାଫିକ୍ ବ୍ୟବସ୍ଥାକୁ ପରିଚାଳନା କରିବାକୁ ୧୨ଟି ଆଉଟ୍ପୋଷ୍ଟ କରାଯାଇଛି। ସମସ୍ତ ଜୋନ୍ଗୁଡ଼ିକ ଦାୟିତ୍ବରେ ଡିଏସ୍ପି ଓ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ରହିବେ। ସେହିପରି ସେକ୍ଟରଗୁଡ଼ିକ ଦାୟିତ୍ବରେ ଇନ୍ସ୍ପେକ୍ଟର ବା ସୁବେଦାରମାନେ ରହିବେ।
