ତାତିରୁ ସାମାନ୍ୟ ଆଶ୍ୱସ୍ତି । ଏବେ ବଦଳିଛି ଉପକୂଳ ଓଡିଶାର ପାଗ । ରାଜ୍ୟର କିଛି ଅଞ୍ଚଳ ରେ କାଳବୈଶାଖୀ ଜନିତ ବର୍ଷା ହୋଇଛି । ବର୍ଷାରେ ପୁରୀ,ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ଗଜପତି ଓ ନୟାଗଡରେ ଝିପିଝିପି ବର୍ଷା ସହ ପବନ ଜାରି ରହିଛି । ଆଜି ଉପକୂଳରେ ହାଲକା ବର୍ଷା ହେବା ସହ ଦିନ ତମାମ ଆକାଶ ମେଘାଚ୍ଛନ ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଏହି ବର୍ଷା ପାଇଁ ଅସହ୍ୟ ଓ ଗୁଳୁଗୁଳିରୁ ସାମାନ୍ୟ ଆସ୍ୱସ୍ତି ମିଳିଛି । ଅନ୍ୟପଟେ ପଶ୍ଚିମ ଓଡିଶାରେ ଜାରି ରହିଚି ତାତି । ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ସିଭିୟର ହିଟ୍ ଓ୍ବେଭ୍ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏହା ସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ଧିରେ ଧିରେ ଅଗ୍ରସର ହୋଇ ଦିନେ ଦୁଇ ଦିନ ମଧ୍ୟରେ ପ୍ରାକ ମୌସୁମୀ ବର୍ଷା ହେବାନେଇ କହିଛି ଅଞ୍ଚଳିକ ପାଣିବାଗ ବିଭାଗ ।