କୋରାପୁଟ: ରାତି ପାହିଲେ ଓଡ଼ିଶା ପାଳିବ ଉତ୍କଳ
ଦିବସ। କିନ୍ତୁ ବିନା ଦ୍ୱିଧାରେ କୋଟିଆରେ ପ୍ରବେଶ
କରୁଛି ଆନ୍ଧ୍ର। ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ
ପଂଚାୟତର ୨୧ଟି ଗ୍ରାମକୁ ନେଇ ଅନେକ ବର୍ଷ
ଧରି ତିକ୍ତତା ଲାଗି ରହିଛି। ସୀମା ବିବାଦ
ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ତଥାପି
କୋଟିଆ ମୋହ ଛାଡ଼ି ପାରୁନାହିଁ। ଉଭୟ ରାଜ୍ୟ
ଓ କେନ୍ଦ୍ର ସରକାର ମିଳିତ ଭାବେ କୋଟିଆ
ସମସ୍ୟାର ସମାଧାନ କରିବା ଉଚିତ ବୋଲି ପଟାଙ୍ଗି
ବିଧାୟକ ରାମଚନ୍ଦ୍ର କାଡ଼ାମ୍ କହିଛନ୍ତି। ଉତ୍କଳ
ଦିବସ ପାଳନ ପୂର୍ବରୁ ଓଡିଶା ଗାଁକୁ ନେଇ
ଆନ୍ଧ୍ରପ୍ରଦେଶ ଷଡ଼ଯନ୍ତ୍ର କରୁଛି। ଯଦି ଏବେ ଠାରୁ
ଜିଲ୍ଲା ପ୍ରଶାସନ କି ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି
ନଦେବେ ତେବେ ଆଗାମୀ ଦିନରେ କୋଟିଆ
ପଞ୍ଚାୟତ ଓଡ଼ିଶା ହାତରୁ ଖସିଯିବାର ଆଶଙ୍କାକୁ
ଏଡାଇ ଦିଆଯାଇପାରେନା। ସୁପ୍ରିମକୋର୍ଟରେ ମାମଲା ବିଚାରଧିନ ଥିବା ବେଳେ ବିବାଦୀୟ
କୋଟିଆରେ ଅନୁପ୍ରବେଶ କରି ପୁଣି ନିଜ
ପତିଆରା ଦେଖାଇଛି ଆନ୍ଧ୍ର। ଅଧିକାରୀ
ନେରେଡିୱାଲାସା ଗାଁରେ ପଶି ଇ-କେୱାଇସି
କରାଇଛନ୍ତି। ପଟ୍ଟାଙ୍ଗି ବ୍ଲକର କୋଟିଆ ପଂଚାୟତ
ଓଡ଼ିଶାର ଶେଷ ସୀମା। ସୀମାନ୍ତ ଗାଁରେ ରାଜ୍ୟ
ସରକାରଙ୍କ ପକ୍ଷରୁ ରାସ୍ତା, ବିଦ୍ୟାଳୟ, ପାନୀୟ
ଜଳ, ଥାନା ଓ ମେଡିକାଲ ଭଳି ଅନେକ
ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି। ମହିଳାଙ୍କୁ
ସୁଭଦ୍ରାରେ ସାମିଲ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ
ପଦକ୍ଷେପ ନିଆଯାଇଛି। ତଥାପି କୋଟିଆବାସୀଙ୍କ
ମନରୁ ଓଡ଼ିଶା ପ୍ରୀତି ଦୂର କରି ନିଜ ଆଡ଼କୁ ଆକୃଷ୍ଟ
କରିବା ପାଇଁ ଚକ୍ରାନ୍ତ ଚଳାଇଛି ଆନ୍ଧ୍ର। ସେମାନଙ୍କ
ମିଛ ପ୍ରତିଶ୍ରୁତିକୁ ଭରସା କରି ଫସି ଯାଉଛନ୍ତି ନିରୀହ
ଆଦିବାସୀ।