ଷ୍ଟାର୍ପ୍ଲସ୍ରେ ପ୍ରସାରିତ ହେଉଥିବା ଧାରାବାହିକ ‘ଅନୁପମା’ରେ ଜଣେ ସାଧାରଣ ମହିଳା ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତହୋଇ ପାରି ଥିବା ରୁପାଲୀ ଗାଙ୍ଗୁଲୀ ରିଏଲ ଲାଇଫରେ ପୁରା ଅଲଗା । ଧାରାବାହିକରେ ସମସ୍ତଙ୍କୁ ଯୋଡ଼ି ରଖୁଥିବା ଏହି ଅନୁପମାଙ୍କର କିନ୍ତୁ ସୁଟିଂ ସେଟ୍ରେ ଅନେକ କଳାକାରଙ୍କ ସହ ଭଲ ପଡ଼େ ନାହିଁ। ଅଭିନୟ କଲା ବେଳେ ଯଦିଓ ସେ ସମସ୍ତଙ୍କୁ ଆପଣାପଣର ଡୋରିରେ ବାନ୍ଧିପକାନ୍ତି, ମାତ୍ର ବାସ୍ତବ ଜୀବନରେ ସେ କିଛି କଳାକାରଙ୍କ ସହ କଥା ବି ହୁଅନ୍ତି ନାହିଁ। ଧାରାବାହିକରେ ବନ୍ରାଜ୍ ଶାହା ଭାବେ ପରିଚିତ ସୁଧାଂଶୁଙ୍କ ସହ କଳାକାର ରୁପାଲୀ କେବଳ ଦରକାର ପଡ଼ିଲେ ହିଁ କଥା ହୁଅନ୍ତି। ସୋ’ରେ ପୂର୍ବରୁ ସମର୍ ଚରିତ୍ରରେ ନଜର ଆସୁଥିବା ପାରସ୍ କଲନାବତଙ୍କର ବି କୁଆଡ଼େ ରୁପାଲୀଙ୍କ ସହ ଭଲ ସଂପର୍କ ନଥିଲା। ତାଙ୍କର ଅଭିଯୋଗ ରହିଛି ଯେ ଯେବେ ତାଙ୍କୁ ଧାରାବାହିକରୁ ବାହାର କରାଗଲା ରୁପାଲୀ ତାଙ୍କୁ ଥରୁଟେ ବି ଭଲମନ୍ଦ ପଚାରି ବୁଝିନାହାନ୍ତି। ସେହିପରି ଧାରାବାହିକରେ ସମରଙ୍କ ପ୍ରଥମ ପ୍ରେମିକା ଭାବେ ନଜର ଆସିଥିବା ଅନଘା ଭୋସ୍ଲେ ଗ୍ଲାମର୍ ଦୁନିଆକୁ ଛାଡ଼ି ଏବେ ଆଧ୍ୟାତ୍ମିକ ମାର୍ଗରେ ପାଦ ଦେଇଛନ୍ତି। ସେ ସୋ’ରେ ଥିଲା ବେଳେ ତାଙ୍କର ବି ରୁପାଲୀଙ୍କ ସହ ଭଲ ପଡୁନଥିଲା। ଧାରବାହିକରେ କିଞ୍ଜଲ ଭୂମିକା ନିଭାଉଥିବା ନିଧି ଶାହା ଏବଂ କାବ୍ୟା ଭୂମିକାରେ ନଜର ଆସୁଥିବା ମଦଲସା ଶର୍ମାଙ୍କର ବି ରୁପାଲୀଙ୍କ ସହ ଭଲ ପଡ଼େ ନାହିଁ ବୋଲି ଚର୍ଚ୍ଚା ହେଉଛି।