କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଟ୍ରକ ଯାତ୍ରାର ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ କି ସେ ଦିଲ୍ଲୀ ବଡ଼ରରେ ପଞ୍ଜାବ ଏବଂ ହରିୟାଣାର ଟ୍ରକ୍ ଡ୍ରାଇଭରଙ୍କୁ ଭେଟିଥିଲେ। ଟ୍ରକ ଡ୍ରାଇଭର ପ୍ରେମ ରାଜପୁତଙ୍କ ଅନୁରୋଧ କ୍ରମେ ରାହୁଲ ଗାନ୍ଧୀ ତାଙ୍କ ଟ୍ରକରେ ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରିଥିଲେ। ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ଏକ ୬ ଘଣ୍ଟିଆ ଟ୍ରକ୍ ଯାତ୍ରା ଥିଲା, ଯେଉଁଥିରେ ମୁଁ, ଟ୍ରକ୍ ଡ୍ରାଇଭରଙ୍କ ଜୀବନ ବିଷୟରେ ଅନେକ କିଛି ଜାଣିପାରିଥିଲି। ଭିଡିଓରେ ରାହୁଲ ଗାନ୍ଧୀ ରାସ୍ତାରେ ଥିବା ଢାବାରେ ଚା’ ପିଇବା, ଲୋକଙ୍କୁ ଭେଟିବା ଏବଂ ଟ୍ରକ୍ ଡ୍ରାଇଭରଙ୍କ ସହ କଥାବାର୍ତ୍ତା ଭଳି ଦୃଶ୍ୟ ରହିଛି। ଏକ ଢାବାରେ ରାହୁଲ ଗାନ୍ଧୀ ଟ୍ରକ ଡ୍ରାଇଭରମାନଙ୍କୁ ପଚାରୁଛନ୍ତି ଯେ, ସେମାନେ ଏହି ପେଷାରେ କିପରି ପ୍ରବେଶ କଲେ, ଗୋଟିଏ ମାସରେ କେତେ ସମୟ ଗାଡ଼ି ଚଲାନ୍ତି, କେତେ ଦିନ ଛୁଟି ମିଳେ କେତେ ଦରମା ପାଆନ୍ତି ପରି ଅନେକ ପ୍ରଶ୍ନ ମଧ୍ୟ ପଚରାଯାଇଥିଲା।
ଏହି ଭିଡ଼ିଓରେ ଦେଖା ଯାଉଛିଯେ, ଜଣେ ଡ୍ରାଇଭର କହୁଛନ୍ତି ଯେ ସେ ୧୨ ରୁ ୨୪ ଘଣ୍ଟା ପାଇଁ ଏକ ଟ୍ରକ୍ ଚଲାନ୍ତି। ରାହୁଲ କହୁଛନ୍ତି, ଏହା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ। କେତେ ଦରମା ପାଆନ୍ତି ? ଏହା ଉପରେ ଡ୍ରାଇଭରମାନେ ଉତ୍ତର ଦିଅନ୍ତି ସେମାନେ ୧୦, ୦୦୦ ଟଙ୍କା ପାଇବା କଷ୍ଟକର, ଯେଉଁଥିରେ ସେମାନେ ନିଜ ପରିବାର ପ୍ରତିପୋଷଣ କରନ୍ତି। ରାହୁଲ ପଚାରୁଛନ୍ତି ଯେ, ଏକ ଟ୍ରକକୁ ୧୦, ୦୦୦ ଟଙ୍କା ପାଇଁ କେତେ ଘଣ୍ଟା ଚଲାଇବାକୁ ପଡିଥାଏ ? ତେବେ ଉତ୍ତର ମିଳେଯେ, ୨୪ ଘଣ୍ଟା। ଡ୍ରାଇଭରମାନେ କୁହନ୍ତିଯେ, ଦୁର୍ଘଟଣା ହେଲେ କୌଣସି ବୀମା ନାହିଁ। ଅନ୍ୟ ଜଣେ ଡ୍ରାଇଭର କହୁଛନ୍ତି ଯେ, ଡ୍ରାଇଭରଙ୍କର କୌଣସି ସମ୍ମାନ ନାହିଁ। ସେ କହିଛନ୍ତି ଯେ, ଡ୍ରାଇଭରମାନେ ଟ୍ୟାକ୍ସ ଦିଅନ୍ତି ତଥାପି ସେମାନଙ୍କର କୌଣସି ଭ୍ୟାଲ୍ୟୁ ନାହିଁ।
ରାହୁଲ ପଚାରୁଛନ୍ତି, ସରକାର ଆପଣଙ୍କ ପାଇଁ କଣ କରିବା ଉଚିତ୍? ଏହା ଉପରେ, ଡ୍ରାଇଭରଙ୍କଠାରୁ ଏକ ଉତ୍ତର ଆସୁଛି ଯେ, କାର୍ଯ୍ୟରେ ୧୨ ଘଣ୍ଟା ଶିଫ୍ଟରେ କରାଯିବା ଉଚିତ। ଯାହା ଦ୍ୱାରା ଜଣେ ବିଶ୍ରାମ ପାଇପାରିବ। ଡ୍ରାଇଭରମାନେ କହିଛନ୍ତି ଯେ ସେମାନେ ଅଧିକ ସମୟ କାମ କରି କିଛି ପାଆନ୍ତି ନାହିଁ। ଚୋରି କିମ୍ବା ଦ୍ରବ୍ୟର କ୍ଷତି ହେଲେ ମାମଲା କେବଳ ଡ୍ରାଇଭର ଉପରେ ପଡେ। ବିପଦ ରହିଥାଏ।
