ମେ’ ୩୧ ତାରିଖରେ ବିଶ୍ବ ପାଳୁଛି ତମାଖୁ ବର୍ଜନ ଦିବସ। ସ୍ବାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ବାବଦରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି। ୧୯୮୭ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତମାଖୁର ବ୍ୟବହାର ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଦିବସର ସ୍ଥାପନା କରିବାକୁ ନିଷ୍ପତ୍ତି ନେଇଥିଲା । ୧୯୮୮ ମସିହା ମେ ୩୧ ତାରିଖରେ ପ୍ରଥମ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଇଥିଲା । ତମାଖୁ ଦ୍ୱାରା ଆମ ଶରୀରରେ ଅନେକ ପ୍ରାଣଘାତୀ ରୋଗ ଜନ୍ମ ନେଇଥାଏ । ଏହାଦ୍ୱାରା କର୍କଟ, ହୃଦରୋଗ, ଶ୍ୱାସରୋଗ ଆଦି ରୋଗ ସୃଷ୍ଟି ହୁଏ । ତମାଖୁ କେବଳ ଆମର ସ୍ୱାସ୍ଥ୍ୟ ନୁହେଁ, ପରିବେଶକୁ ମଧ୍ୟ କ୍ଷତିଗ୍ରସ୍ତ କରିଥାଏ ।
ସିଗାରେଟ୍ ଏବଂ ବିଡି ଧୂଆଁ କେବଳ ବ୍ୟକ୍ତି ଉପରେ ନୁହେଁ ବରଂ ଏହାର ଆଖପାଖରେ ରହୁଥିବା ଶିଶୁ, ମହିଳା ଏବଂ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ। ଫଳରେ ବ୍ୟବହାରକାରୀଙ୍କ ଉପରେ କ୍ୟାନ୍ସର ଭଳି ରୋଗ ଦେଖାଯାଉଥିବା ବେଳେ ଛୋଟଛୁଆଙ୍କ ଉପରେ ସ୍ମୃତିଶକ୍ତି ହରାଇବା ଏବଂ ଶ୍ବାସରୋଗ ଭଳି ସମସ୍ୟା ଦେଖାଯାଇଥାଏ। ତେବେ ଚଳିତବର୍ଷ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ତମାଖୁ ସେବନର ଖରାପ ପ୍ରଭାବ ନେଇ ଲୋକଙ୍କୁ ସଚେତନ କରାଇବା ସହ ତମାଖୁ ସେବନ ଜନିତ ସ୍ବାସ୍ଥ୍ୟ ସମସ୍ୟା, ଏହାର ଭୟାବହତା ଏବଂ ଏଥିରୁ ଦୂରେଇ ରହିବା ପାଇଁ ସଚେତନ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଛି।
