Tuesday, August 26, 2025
spot_imgspot_img
Homeତାଜା ଖବରକଣ୍ଟିଲୋ ନୀଳମାଧବ ମନ୍ଦିର ପୂଜକ ସମାଜର ଧାରଣା ଶେଷ: ଦୁଇ ଦିନ ପରେ ସ୍ୱାଭାବିକ ହେଲା...

କଣ୍ଟିଲୋ ନୀଳମାଧବ ମନ୍ଦିର ପୂଜକ ସମାଜର ଧାରଣା ଶେଷ: ଦୁଇ ଦିନ ପରେ ସ୍ୱାଭାବିକ ହେଲା ପୂଜା ନୀତି

ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିରରେ ପୁଣିଥରେ ଆରମ୍ଭ ହୋଇଛି ପୂଜା ନୀତି। ପୂଜକ ସମାଜର ଧାରଣା ଯୋଗୁଁ ଦୁଇ ଦିନ ଧରି ପୂଜା ନୀତି ବନ୍ଦ ରହିବାପରେ ମଙ୍ଗଳବାର ସନ୍ଧ୍ୟାରୁ ମନ୍ଦିରରେ ପୂଜା ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପୂଜକ ସମାଜର ଦାବିକୁ ଗ୍ରହଣ କରାଯିବା ପରେ ନୀଳମାଧବ ମନ୍ଦିରରେ ପୂଜା ଓ ସେବା କାର୍ଯ୍ୟ ସ୍ୱାଭାବିକ ହୋଇଛି। କଣ୍ଟିଲୋ ନୀଳମାଧବ ମନ୍ଦିରରେ ଜଣେ ବଙ୍ଗୀୟ ଭକ୍ତଙ୍କୁ ଅଶାଳୀନ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ପୋଲିସ ପୂଜକମାନଙ୍କୁ ଦୋଷୀ କରିବା ଅଭିଯୋଗରେ ପୂଜକ ସମାଜ ଧାରଣାରେ ବସିଥିଲା। ପୋଲିସ ପୂଜକଙ୍କ ପ୍ରତି ଖରାପ ବ୍ୟବହାର ଦେଖାଉଥିବା ସେମାନେ ଅଭିଯୋଗ କରିଥିଲେ। ସ୍ଥାନୀୟ ଫାଣ୍ଡି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲା ପୂଜକ ସମାଜ। ଏଥିଲାଗି ନୀଳମାଧବ ମନ୍ଦିରରେ ଦୁଇ ଦିନ ପୂଜା ନୀତି ବନ୍ଦ ରହିଥିଲା। ଏହି ବିବାଦର ସମାଧାନ ପାଇଁ ସ୍ଥାନୀୟ ତହସିଲଦାର ଓ କଣ୍ଟିଲୋ ଉପଖଣ୍ଡ ପୋଲିସ ଅଧିକାରୀ ପୂର୍ବରୁ ପୂଜକ ସମାଜ ସହ ଆଲୋଚନା କରିଥିଲେ ମଧ୍ୟ ଏହାର କୌଣସି ପରିଣାମ ବାହାରି ନଥିଲା। ପୂଜକମାନେ ନିଜ ଦାବିରେ ଅଡ଼ି ବସିଥିଲେ। ମଙ୍ଗଳବାର ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ହୋଇଥିବା ବୈଠକରେ ପୂଜକ ସମାଜର ଅଭିଯୋଗର ସମାଧାନ ନେଇ ଅଲୋଚନା କରଯାଇଥିଲା। ଏଥିରେ ପୂଜକ ସମାଜର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏଠାରେ ପୂଜକମାନଙ୍କ ଦାବିକୁ ପୂରଣ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଫାଣ୍ଡି ଅଧିକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ଅନୁସାରେ ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କୁ ନୀଳମାଧବ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ସବୁ କାର୍ଯ୍ୟରୁ ଅପସାରଣ କରାଯାଇଛି। ଦୁଇ ମାସ ମଧ୍ୟରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ତାଙ୍କ ବଦଳରେ ଆଉ ଜଣେ ପୋଲିସ ଅଧିକାରୀଙ୍କୁ ସେସବୁ ଅଞ୍ଚଳର ଦାୟିତ୍ଵ ଦିଆଯିବ। ଏବେ ମନ୍ଦିର ପରିସରରେ ଜଣେ କନେଷ୍ଟବଳଙ୍କୁ ନିୟୋଜିତ ରଖିବାକୁ ପ୍ରଶାସନିକସ୍ତରରେ ନିଷ୍ପତ୍ତି ହୋଇଛି।ଜିଲ୍ଲା ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନରେ ପୂଜକ ସମାଜ ସମ୍ମତି ପ୍ରକାଶ କରିଥିଲେ। ଏହାପରେ ସେମାନେ ଧାରଣାରୁ ଓହରି ମନ୍ଦିରରେ ପୂଜା ଓ ସେବା କାର୍ଯ୍ୟ ଆରମ୍ଭ କରିଥିଲେ। ପୂଜକ ସମାଜ ସହ ହୋଇଥିବା ଏହି ବୈଠକରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଜିଲ୍ଲା ଏସ୍ ପି ଅଲେଖ ଚନ୍ଦ୍ର ପହି, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ନୟାଗଡ଼ ଜିଲ୍ଲା ପରିଷଦର ବରିଷ୍ଠ ସଦସ୍ୟ ରାମେଶ୍ୱର ଶତପଥୀ ଏବଂ ପୂଜକ ସମାଜର କିଛି ପ୍ରତିନିଧି ଯୋଗ ଦେଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments