Tuesday, August 26, 2025
spot_imgspot_img
Homeତାଜା ଖବରରାଜସ୍ଥାନ ରାଜନୀତି: ଏକାଠି ଲଢ଼ିବେ ଗେହଲଟ-ପାଇଲଟ୍‌ !

ରାଜସ୍ଥାନ ରାଜନୀତି: ଏକାଠି ଲଢ଼ିବେ ଗେହଲଟ-ପାଇଲଟ୍‌ !

ରାଜସ୍ଥାନରେ ଚାଲିଥିବା କଂଗ୍ରେସ ଲଢ଼େଇ ପାଇଁ ଦିଲ୍ଲୀ ଟେନ୍ସନରେ ଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ଏକାଠି ଲଢ଼ିବେ ବୋଲି କଂଗ୍ରେସ କହିଛି। ଉଭୟ ମଧ୍ୟ ଗୋଟିଏ ଫ୍ରେମ୍‌ରେ ଆସି ଏକାଠି ଥିବା ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ସଚ୍ଚିନଙ୍କ ୩ ଦାବି ସମ୍ପର୍କରେ କ’ଣ ଫଇସଲା ହେଲା? ସେ ସମ୍ପର୍କରେ ସବୁପକ୍ଷ ଚୁପ୍‌ ରହିଛନ୍ତି। ସଚ୍ଚିନ ପାଇଲଟ୍‌ଙ୍କ ରାଜନୈତିକ ଆକ୍ରମଣ ପଛର ଗୋଟିଏ ଉଦ୍ଦେଶ୍ୟ ହେଉଛି ମୁଖ୍ୟମନ୍ତ୍ରୀ ଚୌକି। ଏତେ ଦିନ ଧରି ବୁଝୁ ନଥିବା ପାଇଲଟ୍‌ କେମିତି ବୁଝିଗଲେ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେବା ବେଳେ ଗେହଲଟ କହିଛନ୍ତି, କଂଗ୍ରେସରେ ଓ ବିଶେଷ କରି ନିର୍ବାଚନକୁ ଯାଉଥିବା ରାଜ୍ୟ କଂଗ୍ରେସରେ ପାଇଲଟଙ୍କର ଭୂମିକା କଣ ରହିବ ତାହା ହାଇକମାଣ୍ଡ ସ୍ଥିର କରିବେ। “ମୋ ପାଇଁ କୌଣସି ପଦ କିଛି ଗୁରୁତ୍ଵ ରଖେ ନାହିଁ। ମୁଁ ୩ ଥର ମୁଖ୍ୟମନ୍ତ୍ରୀ ହୋଇ ସାରିଛି। ବହୁତ ଭଲ କାମ କରିଛି ବୋଲି ମୋର ବିଶ୍ଵାସ”, କହିଛନ୍ତି ଗେହଲଟ। ସୋମବାର ବିଳମ୍ବିତ ରାତିଯାଏଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସଂଗଠନ ମହାସଚିବ କେସି ବେଣୁ ଗୋପାଳ, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଅଶୋକ ଗେହଲଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ମିଳିତ ଆଲୋଚନା ହୋଇଥିଲା। ଅଶୋକ ଓ ସଚିନଙ୍କ ସହ ଅଲଗା ଅଲଗା ମଧ୍ୟ କଥା ହୋଇଥିଲେ। ଏହା ପରେ ସହମତି ଆସିଥିବା କୁହାଯାଉଛି। କ’ଣ ହୋଇଥାଇ ପାରେ ସହମତି? ଏ ପ୍ରଶ୍ନ ସମସ୍ତଙ୍କ ମନରେ। ମିଳିଥିବା ସୂଚନା ଅନୁସାରେ ଅଶୋକ ଗେହଲଟଙ୍କୁ ବରିଷ୍ଠ କଂଗ୍ରେସ ନେତା ବୁଝାଇବାରେ ସଫଳ ହୋଇଛନ୍ତି। ଗେହଲଟ ୩ ଥର ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି, କେନ୍ଦ୍ର ମନ୍ତ୍ରୀ ହେବାର ଅଭିଜ୍ଞତା ମଧ୍ୟ ରହିଛି। ତେଣୁ ଆଗକୁ ଅନ୍ୟ ପାଇଁ ରାସ୍ତା ଛାଡ଼ିବା ଜରୁରୀ ବୋଲି ରାହୁଲ ଗେହଲଟଙ୍କୁ ବୁଝାଇଥିବା ଚର୍ଚ୍ଚା ହେଉଛି। ଅଶୋକ ଗେହଲଟଙ୍କ ମନ୍ତବ୍ୟ ବି ଉପରୋକ୍ତ ଚର୍ଚ୍ଚାକୁ ସତ ଭାବିବା ପାଇଁ ଖୋରାକ ଯୋଗାଉଛି। ଜଣେ ଧୈର୍ଯ୍ୟ ରଖିଲେ, ଶେଷରେ ସଫଳତା ପାଏ। ଦଳ ପାଇଁ କାମ କରିବା ଆଗରେ ମୁଖ୍ୟମନ୍ତ୍ରୀ ହେଉ କି ଆଉ କୌଣସି ପଦବୀ, ତାହା ଗୁରୁତ୍ଵ ରଖେ।ନାହିଁ। ଏବେ ଦଳର ନିର୍ଦ୍ଦେଶ ରାଜସ୍ଥାନରେ କ୍ଷମତା ବଜାୟ ରଖିବା ବୋଲି ଗେହଲଟ କହିଛନ୍ତି। କିନ୍ତୁ କଂଗ୍ରେସ ଅଶୋକ ଗେହଲଟଙ୍କ ନେତୃତ୍ଵରେ ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବ। ପାଇଲଟଙ୍କୁ ମଧ୍ୟ ଦଳର ହାଇକମାଣ୍ଡ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ପାଇଲଟ ସେଥିରେ ରାଜି ହୋଇଥିବା ସୂଚନା ମିଳିଛି। କିନ୍ତୁ ଏଯାଏଁ ପାଇଲଟ ଏହି ବୈଠକ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। ସେ ଜୟପୁର ଛାଡ଼ି ନିଜ ନିର୍ବାଚନମଣ୍ଡଳୀ ପରିଦର୍ଶନରେ ବାହାରି ଯାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଦୁର୍ନୀତିର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ରାଜସ୍ଥାନ ଲୋକସେବା ଆୟୋଗକୁ ଭାଙ୍ଗି ଏହାର ପୁନର୍ଗଠନ ଓ ପେପର୍‌ ଲିକ୍ ହୋଇଥିବାରୁ କ୍ଷତିଗ୍ରସ୍ତ ଆଶାୟୀଙ୍କୁ ବେକାରୀ ଭତ୍ତା ପ୍ରଦାନ ଦାବିରେ ସଚ୍ଚିନ ପାଇଲଟ ଧାରଣା ସହ ପଦଯାତ୍ରାରେ କରିଥିଲେ। ଏସବୁ ଦାବି ପୂରଣ ପାଇଁ ସଚ୍ଚିନ ୧୫ ଦିନର ମହଲତ ମଧ୍ୟ ଦେଇଥିଲେ। ଦାବି ପୂରଣ ନହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ ପାଇଲଟ।
ଉଭୟ ନେତାଙ୍କ ଲଢ଼େଇ ପାଇଁ ରାଜସ୍ଥାନରେ କଂଗ୍ରେସ କ୍ଷତିଗ୍ରସ୍ତ ହେଉଥିଲା। କିନ୍ତୁ ଏଠାରେ ନିୟୋଜିତ ହୋଇଥିବା ଇଲେକ୍ସନ ଷ୍ଟ୍ରାଟେଜି ଟିମ୍‌ ଏହି ଲଢ଼େଇକୁ ଶୀଘ୍ର ଶେଷ କରିବା ପାଇଁ ପରାମର୍ଶ ଦେଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments