ମୃତ ବ୍ୟକ୍ତିଙ୍କୁ ନିଜ ସ୍ୱାମୀ ବୋଲି ଦାବି କରି ସହାୟତା ରାଶି ହଡ଼ପ କରିବାକୁ ମିଛ ବାହାନା କରିଥିଲେ ଜଣେ ମହିଳା । ଧରାପଡ଼ିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ‘ନୋସି ବିଜିନେସ ପାର୍କ’ ପରିସରରେ ରବିବାର ସକାଳେ ଶୋକାକୁଳ ପରିବେଶ ଭିତରେ ସାମ୍ନାକୁ ଆସିଥିଲା ଏଭଳି ଏକ ଚାଚଂଲ୍ୟକର ଖବର ।
ମହିଳା ଜଣଙ୍କ କଟକ ବଡ଼ମ୍ବା ଥାନା ଅନ୍ତର୍ଗତ ମାଣିଆବନ୍ଧ ଅଂଚଳର ଗୀତାଂଜଳୀ ଦତ ବୋଲି ଜଣାପଡ଼ିଛି । ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଲୁଟିବାକୁ ମିଛ ବାହାନା କରୁଥିଲେ ସମ୍ପୃକ୍ତ ମହିଳା ।
ଜୀବିତ ସ୍ୱାମୀ ବିଜୟ ଦତଙ୍କୁ ମୃତ ଦର୍ଶାଇଥିଲେ ସେ । ତେବେ ଯୋଜନା ଫେଲ ମାରିବା ପରେ ପୁଲିସ ହାତରେ ଧରାପଡ଼ିଥିଲେ । ମହିଳା ଜଣଙ୍କ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ନିଜ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ କରିଥିଲେ । କୋହଭରା ସ୍ୱରରେ ବିଳାପ କରିବା ସହ ଭାବପ୍ରବଣତା ଦେଖାଇଥିଲେ । ଏହା ସହ ମୃତକଙ୍କ ଫଟୋ ମଧ୍ୟରୁ ଗୋଟିଏ ନିଜ ସ୍ୱାମୀଙ୍କର ବୋଲି ଦାବି କରିଥିଲେ । ମିଛ ଆଧାରକାଡ଼ ଜେରକ୍ସ କପି ବି ଦେଖାଇଥିଲେ । ହେଲେ ପୋଲିସ ଅଧିକାରୀଙ୍କ ଆଗରେ ମହିଳାଙ୍କ ସବୁ ଚାଲ ଧରାପଡ଼ିଯାଇଥିଲା । ଯାହାକୁ ନେଇ ପୁଲିସ ଅଧିକାରୀ ବଡ଼ମ୍ବା ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ।
ତେବେ ମହିଳାଙ୍କ ସ୍ୱାମୀ ଜୀବିତ ଥିବା ସୂଚନା ଦେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ମୋବାଇଲ ନମ୍ବର ଶେୟାର କରିଥିଲେ । ଅନ୍ୟପଟେ ପୋଲିସ ମହିଳାଙ୍କୁ ଗିରଫ କରିବାକୁ ଯୋଜନା କରିଥିଲେ ମଧ୍ୟ ମହିଳା ସେଠାରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ ।
