ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାରେ ମୋଟ ୨୮୮ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।ସେମାନଙ୍କ ମଧ୍ୟରୁ ୨୦୫ଜଣ ଯାତ୍ରୀଙ୍କ ମୃତଦେହକୁ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ବାକି ୮୩ଜଣ ମୃତ ଯାତ୍ରୀଙ୍କ ପରିଚୟ ଏବେବି ମିଳିପାରିନି ।ତେବେ ବାହାନଗା ବଜାର ଟ୍ରେନ ଦୁର୍ଘଟଣାରେ ମୃତକ ମାନଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ପହଞ୍ଚିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।ଭିନ୍ନ ଭିନ୍ନ ହସ୍ପିଟାଲରେ ମୃତ ଦେହ ରଖାଯାଉଥିବାରୁ, ମୃତ ଦେହ ଚିହ୍ନଟ ହେବାରେ ସମସ୍ୟା ଦେଖାଦେଉଥିଲା ।ସମ୍ପର୍କୀୟମାନେ ଜାଣିପାରୁନଥିଲେ କେଉଁ ହସ୍ପିଟାଲ ଯାଇ ତାଙ୍କ ଲୋକଙ୍କୁ ଖୋଜିବେ । ଏ ହସ୍ପିଟାଲରୁ ସେ ହସ୍ପିଟାଲ ଘୁରି ବୁଲୁଥିଲେ କିନ୍ତୁ ଶବ ଚିହ୍ନଟ ହୋଇପାରୁନଥିଲା ।ଯାହାକୁ ଦୃଷ୍ଟିରେ ରଖି କେବଳ ଏମ୍ସରେ ହିଁ ମୃତ ଦେହ ରଖିବାକୁ ନିଷ୍ପତ୍ତି ହୋଇଛି । ସମ୍ପର୍କୀୟମାନେ ଏଠାକୁ ଆସି ଶବ ଚିହ୍ନଟ କରିପାରିବେ।ଅନ୍ୟପଟେ ରାଜ୍ୟ ସରକାର ଏସବୁ ଶବକୁ ବୈଜ୍ଞାନିକ ପଦ୍ଧତିରେ ସୁରକ୍ଷିତ ରଖିବା ସହ ଚିହ୍ନଟ ପାଇଁ ଏବେ ଡିଏନଏ ମ୍ୟାଚିଂ ଟେଷ୍ଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
