Tuesday, August 26, 2025
spot_imgspot_img
Homeତାଜା ଖବରଆଉ ୧୧ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା, ରଥ ନିର୍ମାଣ କାମ ତ୍ଵରାନିତ

ଆଉ ୧୧ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା, ରଥ ନିର୍ମାଣ କାମ ତ୍ଵରାନିତ

ଆଉ ୧୧ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ରଥରେ ବିଜେ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ତିନି ରଥ ନିର୍ମାଣ ବି ବେଶ୍‌ ଜୋରସୋରର ଆଗେଇ ଚାଲିଛି। ରଥ ନିର୍ମାଣକାରୀ ସେବକମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ପୂର୍ଣ୍ଣରୂପ ଦେବାକୁ ଜୋରସୋରରେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଇତିମଧ୍ୟରେ ପ୍ରାୟ ୮୦ ପ୍ରତିଶତ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଲାଣି।ସାରା ବିଶ୍ବରେ ୪୩ରୁ ଅଧିକ ଦେଶରେ ରଥଯାତ୍ରା ଆୟୋଜନ ହୋଇ ଆସୁଥିଲେ ବି ଶ୍ରୀକ୍ଷେତ୍ରର ରଥଯାତ୍ରା ସମ୍ପୂର୍ଣ୍ଣ ନିଆର। ଏହା ମହାପ୍ରଭୁଙ୍କ ଆଦିକ୍ଷେତ୍ର ହୋଇଥିବାରୁ ଶ୍ରୀକ୍ଷେତ୍ରର ରଥଯାତ୍ରାରେ ଗଡ଼ୁଥିବା ତିନି ରଥର ଆକାର ଓ ଉଚ୍ଚତା ବି ଅଧିକ। ପ୍ରତିବର୍ଷ ତିନି ଠାକୁରଙ୍କ ରଥ ନୂଆ ନିର୍ମାଣ ହୋଇଥାଏ। ତିନି ରଥ ନିର୍ମାଣ ପାଇଁ ୪୨୬ ଖଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାସି ଓ ୩ ଖଣ୍ଡ ଶିମିଳି କାଠ, ଏପରି ‌ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥାଏ। ରଥଯାତ୍ରା ସରିଲେ, ଚକ, ପ୍ରଭା ଆଦିକୁ ଛାଡ଼ିଦେଲେ, ରଥର ବାକି ଅଂଶ ରୋଷଘରକୁ ମହାପ୍ରସାଦ ପ୍ରସ୍ତୁତି ପାଇଁ ଯାଇଥାଏ।
ତିନି ରଥର ଆକାର ଓ ପ୍ରକାର ଉପରେ ନଜର ପକାଇଲେ, ପ୍ରତ୍ୟେକ ରଥରେ ୯ଜଣ ଲେଖାଏଁ ପାର୍ଶ୍ବ ଦେବବେଦୀଙ୍କୁ ଅଧିଷ୍ଠିତ କରାଯାଇଥାଏ। ନବକଳେବର ସମୟରେ ରୂପକାର ସେବକମାନେ ନିମ୍ବ କାଠରେ ତିନି ରଥ ପାଇଁ ୯ଟି ଲେଖାଏଁ, ୨୭ଟି ପାର୍ଶ୍ୱ ଦେବଦେବୀଙ୍କର ଏହି ବିଗ୍ରହ ନିର୍ମାଣ କରିଥାଆନ୍ତି। ପ୍ରତିବର୍ଷ ରଥଯାତ୍ରାର ପୂର୍ବରୁ ଚିତ୍ରକାର ସେବକମାନେ ଏହି ମୂର୍ତ୍ତିଗୁଡିକୁ ରଙ୍ଗ କରିଥାଆନ୍ତି। ଆବଶ୍ୟକ ପଡ଼ିଲେ ଏହାର ମରାମତି ହୋଇଥାଏ।

ନନ୍ଦିଘୋଷ ରଥ ଉପରେ ନଜର ପକାଇଲେ, ଏଥିରେ ଶ୍ରୀଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରିଥାନ୍ତି। ନନ୍ଦିଘୋଷ ରଥର ଉଚ୍ଚତା ୪୫ ଫୁଟ ୬ ଇଞ୍ଚ। ରଥର ଚକ ଓ ଅଖ ସଂଖ୍ୟା ଯଥାକ୍ରମେ ୧୬ ଓ ୮। ଚକର ଉଚ୍ଚତା ୬ ଫୁଟ। ନନ୍ଦିଘୋଷ ରଥର ଦଧିନଉତି ହିରଣ୍ୟଗର୍ଭ ଭାବେ ନାମିତ। ସାରଥି ମାତଳୀ ହୋଇଥିବା ବେଳେ ରଥ ଦଉଡ଼ି ହେଉଛି ଶଙ୍ଖଚୂଡ଼। ରଥରେ ୪ଟି ଧଳା ରଙ୍ଗର ଘୋଡ଼ା ଲାଗିଥାଏ। ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ଏହି ରଥକୁ ଆବରଣ କରାଯାଇଥାଏ। ରଥର ଧ୍ବଜାରେ ପଞ୍ଚମୁଖୀ ହନୁମାନ ରହିଥାନ୍ତି। ତାଳଧ୍ବଜ ରଥରେ ଶ୍ରୀବଳଭଦ୍ରଙ୍କ ସହ ଶ୍ରୀରାମ ଓ ଶ୍ରୀକୃଷ୍ଣ ବିଜେ କରିଥାନ୍ତି। ରଥର ଉଚ୍ଚତା ୪୫ ଫୁଟ। ଏଥିରେ ୧୪ଟି ଚକ ଓ ୭ଟି ଅଖ ସଂଯୋଗ ହୋଇଥାଏ। ପ୍ରତି ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ। ଦଧିନଉତି ହରଣ୍ମୟୀ ନାମରେ ନାମିତ। ରଥର ସାରଥି ହେଉଛନ୍ତି ଦାରୁକ ଓ ଦଉଡ଼ି ନାମ ବାସୁକୀ। ରଥରେ ୪ଟି କଳା ରଙ୍ଗର ଘୋଡ଼ା ଲାଗିଥାଏ। ଧ୍ବଜାରେ ଲକ୍ଷ୍ମୀନୃସିଂହ ଥାନ୍ତି। ନାଲି ଓ ସବୁଜ ରଙ୍ଗର କପଡ଼ାରେ ରଥାବରଣ କରାଯାଏ। ଦର୍ପଦଳନ ରଥରେ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ବିଜେ କରିଥାନ୍ତି। ରଥ ଉଚ୍ଚତା ୪୪ ଫୁଟ ୬ ଇଞ୍ଚ। ରଥରେ ୧୨ଟି ଚକ ଓ ୬ଟି ଅଖ। ପ୍ରତି ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ। ଦଧିନଉତିରେ ଭୁବନକୋଷ ରହିଥାନ୍ତି। ଦର୍ପଦଳନ ରଥର ସାରଥୀ ଅର୍ଜୁନ ହୋଇଥିବାବେଳେ ଦଉଡ଼ି ନାମ ସ୍ବର୍ଣ୍ଣଚୂଡ଼। ଧ୍ବଜାରେ ଜୟଦୁର୍ଗା ରହିଥାନ୍ତି। ରଥରେ ନାଲି ରଙ୍ଗର ୪ଟି ଘୋଡ଼ା ଲାଗିଥାଏ। ନାଲି ଓ କଳା ରଙ୍ଗର କପଡ଼ାରେ ରଥକୁ ଆବରଣ କରାଯାଇଥାଏ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments