କଥା ଦେଇଥିଲୁ। କଥା ରଖିଲୁ। ସାରା ରାଜ୍ୟବାସୀ ଆଜି ଖୁସି। ବିଶେଷ ଭାବରେ କାମଧନ୍ଦା ଅନ୍ୱେଷଣରେ ପେଟପାଟଣା ପାଇଁ ବିଭିନ୍ନ ରାଜ୍ୟରେ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିବା ଲକ୍ଷ ଲକ୍ଷ ଭାଇଭଉଣୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ମୁହଁରେ ହସ ଓ ହୃଦୟରେ ଆନନ୍ଦ ଭରିଯାଇଛି।
ଆଜିଠାରୁ ଓଡ଼ିଶାରେ ଆୟୁଷ୍ମାନ ଭାରତର ଲାଗୁ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା, ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ସୁଫଳ ଆଜିଠାରୁ ମୋର ପ୍ରିୟ ଓଡ଼ିଆ ଭାଇଭଉଣୀମାନଙ୍କୁ ଉପଲବ୍ଧ ହେବା କାରଣରୁ ମୁଁ ବି ବିଶେଷ ଆନନ୍ଦିତ। ଭାରତର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ କରକମଳରେ କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଏହାର ଲୋକାର୍ପଣ ହେବ।
ରାଜ୍ୟରେ ୧.୦୩ କୋଟିରୁ ଊର୍ଦ୍ଧ୍ବ ପରିବାରର ୩.୪୬ କୋଟି ଲୋକଙ୍କ ପାଇଁ ଏହି ଯୋଜନା ସମର୍ପିତ। ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ଯୋଜନାର କାର୍ଡ। ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମିଳିବ।
ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷ କିମ୍ବା ୭୦ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ମିଳିବ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ବରିଷ୍ଠ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ସହାୟତା। ଦେଶର ସବୁ ରାଜ୍ୟର ୨୯ ହଜାରରୁ ଊର୍ଦ୍ଧ୍ବ ସରକାରୀ ଓ ପଞ୍ଜିକୃତ ଘରୋଇ ଚିକିତ୍ସାଳୟରେ ଏହି କାର୍ଡ ଦେଖାଇଲେ ମିଳିବ ମାଗଣା ସ୍ୱାସ୍ଥ୍ୟସେବା। ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ଓଡ଼ିଶାର ଜନସାଧାରଣଙ୍କୁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାରର ଉପହାର। ଏହି ଅବସରରେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଉଛି।
ପୂର୍ବରୁ ରାଜନୈତିକ ଅଭିସନ୍ଧି ରଖି ବିଜେଡି ସରକାର ଏହି ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ କରୁନଥିଲେ। କିନ୍ତୁ ବିଜେପି ସରକାର ଗଠନ ହେବା ପରେ ଆମେ ଆମର ସଂକଳ୍ପପତ୍ରରେ କହିଥିବା ଗୋଟି ଗୋଟି କଥାକୁ ପୂରଣ କରିବାକୁ ବଦ୍ଧପରିକର। ପ୍ରତିଶ୍ରୁତିର ଠିକ୍ କ୍ରିୟାନ୍ୱୟନ ହିଁ ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତା।
ଜଣେ ରାଜନୈତିକ କର୍ମୀଭାବରେ ଓଡ଼ିଶାରେ ମୋଦୀଙ୍କ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ଅନେକ ସମୟରେ ସହକର୍ମୀ ମାନଙ୍କ ସହ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲୁ। ଗତ ବିଜେଡି ସରକାରରେ ଆୟୁଷ୍ମାନ ଭାରତ ଲାଗୁପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର ଅନୁରୋଧ ଓ ଦାବି କରିଥିଲୁ।
ମୋର ସ୍ପଷ୍ଟ ମନେ ଅଛି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଏହି ଯୋଜନାର ଯିଏ ଉଦ୍ଘାଟକ ସେ ପୂର୍ବରୁ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଏବଂ ବିଜେପିର ରାଷ୍ଟ୍ରୀୟ ସଭାପତି ଭାବରେ ଏହି ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ପାଇଁ ବାରମ୍ବାର ଅନୁରୋଧ ଓ ଦାବି କରିଥିଲେ। ତାଙ୍କରି କରକମଳରେ ଆଜି ଓଡ଼ିଶାରେ ଏହି ଯୁଗାନ୍ତକାରୀ ଯୋଜନାର ଶୁଭାରମ୍ଭ ହେବା ଅବସରରେ ଆମେ ସମସ୍ତେ ଆନନ୍ଦିତ।
ନଡ୍ଡାଜୀଙ୍କ ସହ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ବାରମ୍ବାର ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ତତ୍କାଳୀନ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। ରାଜନୈତିକ କାର୍ୟ୍ୟକର୍ତ୍ତା ଭାବରେ ଆମର ପ୍ରାଥମିକତା ଗରିବ ଲୋକଙ୍କୁ ସୁବିଧା ମିଳୁ। ମୋଦୀଙ୍କ ଏପରି ଜନକଲ୍ୟାଣକାରୀ ଯୋଜନା କ୍ରିୟାନ୍ୱୟନ ନ କରାଇ ଦେବା ପଛରେ ତତ୍କାଳୀନ ସରକାରର ଗୋଟିଏ ହୀନ ପ୍ରୟାସ ଥିଲା। ଗରିବ ଓଡିଆ ଲୋକଙ୍କୁ ପଛେ ଲାଭ ନମିଳୁ କିନ୍ତୁ ଶ୍ରେୟ ନରେନ୍ଦ୍ର ମୋଦୀ ନ ନିଅନ୍ତୁ। ଓଡ଼ିଆ ଲୋକ ସେମାନଙ୍କର ଅସଲ ଉଦ୍ଦେଶ୍ୟ ବୁଝିଲେ। ଲୋକଙ୍କ ଦୁଃଖ ନ ବୁଝୁଥିବା, ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟର ଗରିବଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଉଥିବା ସରକାରକୁ ପରିବର୍ତ୍ତନ କରି ରଖିଦେଲେ।
ସଂଘୀୟ ବ୍ୟବସ୍ଥାରେ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ। ସମସ୍ତଙ୍କୁ ବିନା ଆର୍ଥିକ ଅସୁବିଧାରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଭାରତ ସରକାର ୨୩ ସେପ୍ଟେମ୍ବର ୨୦୧୮ ତାରିଖରେ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) ଆରମ୍ଭ କରିଥିଲେ। ଏହି ଯୋଜନାର ଲକ୍ଷ୍ୟ ଥିଲା ଗୋଟିଏ ଏବଂ ତାହା ହେଉଛି ଗରିବଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା।