ନ୍ୟାସ୍ନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍(ନାଲ୍କୋ) ଏହାର ଆର୍ଥିକ ଫଳାଫଳ ପ୍ରକାଶ କରିଛି। ୨୦୨୪-୨୫ ଆର୍ଥିକବର୍ଷରେ କମ୍ପାନି ସର୍ବକାଳୀନ ସର୍ବାଧିକ ନିଟ୍ ଲାଭ ହାସଲ କରିଛି। ବୁଧବାର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ପ୍ରକାଶ ପାଇଥିବା ଆର୍ଥିକ ଫଳାଫଳ ଅନୁସାରେ, କମ୍ପାନି ୨୦୨୪-୨୫ରେ ସର୍ବକାଳୀନ ସର୍ବାଧିକ ୫,୩୨୫ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି। ଏହା ଏକ ଐତିହାସିକ ମାଇଲଖୁଣ୍ଟ । ନିଟ୍ ଲାଭ ପୂର୍ବ ଆର୍ଥିକବର୍ଷ ତୁଳନାରେ ୧୫୮% ବଢ଼ିଛି। ଏଥିସହ ଆର୍ଥିକବର୍ଷ ୨୦୨୪-୨୫ରେ କମ୍ପାନି ସର୍ବକାଳୀନ ସର୍ବାଧିକ ରେକର୍ଡ ସହ ୧୬,୭୮୮ କୋଟି ଟଙ୍କାର ମୋଟ ବ୍ୟବସାୟ କରିଛି ।
୨୦୨୫ ମାର୍ଚ୍ଚରେ ଶେଷ ହୋଇଥିବା ୨୦୨୪- ୨୫ ଆର୍ଥିକବର୍ଷର ଚତୁର୍ଥ ତ୍ରୟମାସରେ କମ୍ପାନିର ନିଟ୍ ଲାଭରେ ୧୦୫% ଅଭିବୃଦ୍ଧି ଘଟିଛି । ଆଲୋଚ୍ୟ ସମୟରେ କମ୍ପାନିର ନିଟ୍ ଲାଭ ରହିଛି ୨,୦୭୮ କୋଟି ଟଙ୍କା। ୨୦୨୩-୨୪ ଚତୁର୍ଥ ତ୍ରୟମାସରେ ଏହା ୧୦୧୬ କୋଟି ଟଙ୍କା ଥିଲା। ସେହିପରି ଚତୁର୍ଥ ତ୍ରୟମାସରେ କମ୍ପାନି ୫,୨୬୮ କୋଟି ଟଙ୍କାର ବ୍ୟବସାୟ କରିଛି, ଯାହାକି ପୂର୍ବ ଆର୍ଥିକବର୍ଷର ଚତୁର୍ଥ ତ୍ରୟମାସରେ ଥିଲା ୩,୫୭୯ କୋଟି ଟଙ୍କା ।
ଆଲୁମିନା ଏବଂ ଆଲୁମିନିୟମ ଦରରେ ବୃଦ୍ଧି ତଥା କମ୍ପାନିର ସୁସଂଗଠିତ କାର୍ଯ୍ୟପ୍ରଣାଳୀ, ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ବିଭିନ୍ନ ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଦ୍ୱାରା ନାଲ୍କୋ ଏହାର ସମସ୍ତ ବ୍ୟବସାୟିକ ୟୁନିଟ୍ରେ ତଥା ଲାଭ ଅର୍ଜନ କ୍ଷେତ୍ରରେ ଆଶାତୀତ ଅଭିବୃଦ୍ଧି ହାସଲ କରିଛି। ଏ ଅବସରରେ ନାଲ୍କୋ ସିଏମ୍ଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, ଆର୍ଥିକବର୍ଷ ୨୦୨୪- ୨୫ର ତୃତୀୟ ଏବଂ ଚତୁର୍ଥ ତ୍ରୟମାସରେ କମ୍ପାନିର ଉଲ୍ଲେଖନୀୟ ପ୍ରଦର୍ଶନ କର୍ମଚାରୀଙ୍କ ପ୍ରତିବଦ୍ଧତାର ପ୍ରତିଫଳନ। ନାଲ୍କୋ ଏହାର ଦୃଢ଼ ଆର୍ଥିକ ପ୍ରଦର୍ଶନ ଏବଂ ବ୍ୟବସାୟିକ ଅଭିବୃଦ୍ଧି ବଳରେ ଆଜିର ପ୍ରଭାବଶୀଳ ବଜାର ପରିବେଶରେ ପ୍ରତିଯୋଗିତାମୂଳକ ମୂଲ୍ୟ ବଜାୟ ରଖିବାରେ ସଫଳ ହୋଇଛି।