ମାନନୀୟ ଶ୍ରୀଯୁକ୍ତ କରୋନା ସାର,
ଜାଣିବେ,
ସାର୍ ! ମୁଁ ସେଇ ରାଧାକାନ୍ତ । ଯାହାକୁ ଆପଣ ରାଧୁଆ ବୋଲି ଡାକୁ ଥିଲେ । ମନେପଡିଲା ନା ସାର, ରାଗିଗଲେ ମୋତେ ପରା ଆପଣ ଗଧିଆ ବୋଲି ଡାକୁଥିଲେ ।
ଆପଣଙ୍କ ଦୟାରୁ, ଶ୍ରେଣୀରେ ଯିଏ ୨୬ଶତକଡ଼ା ନମ୍ବର ରଖିବା କଷ୍ଟ ହେଉଥିଲା ,ସେ ଆଜି ୬୨ଶତକଡ଼ା ନମ୍ବର ରଖି ମେଟ୍ରିକ ପାଶ କରିଗଲା । ବାପା ଭାରି ଖୁସି । ସେ କହୁଛନ୍ତି, ଏଇଟା ତାଙ୍କ ବେଳର ଫାଷ୍ଟ ଡିଭିଜନ ନମ୍ବର । ବୋଉର ଗୋଡ଼ତ ଆଉ ତଳେ ଲାଗୁନି । ସେ କହୁଛି ” ମୋ ପୁଅର ନାମ ଭୁବନେଶ୍ଵରର ଅମୁକ ସାଇନ୍ସ କଲେଜରେ ଲେଖିଦିଅ”?
ବାପା କହୁଛନ୍ତି ନମ୍ବରଟା ଟିକେ କମିଗଲା ।ନମ୍ବର ଆଉ ଥରେ ଚେକ୍ କର, ଚେକ୍ କର ” କହି ବୋଉ ବାପାକୁ ରଖେଇ ଦଉନି। ନ ହେଲେ ସେ ବୋର୍ଡ ଅଫିସ ଆଗରେ ଧାରଣା ଦେବ ବୋଲି କହୁଛି । ତା ଜାଣିବାରେ ମୋର ୮୨ ଶତକଡ଼ା ଉପରେ ନମ୍ବର ରହିବା କଥା।
ବାପା, ବୋଉକୁ କହୁଛନ୍ତି ” ତୁମେ ବ୍ୟସ୍ତ ହୁଅନି, ରାଧାର ନାମ-ଲେଖା କେଉଁ କଲେଜରେ ହୋଇପାରିବ ମୁଁ ଦେଖୁଛି ” । ବୋଉ କହୁଛି, “ବୋର୍ଡ ବାଲା ମୋ ପୁଅର ନମ୍ବର ୩ ଦିନ ଭିତରେ ବଢାନ୍ତୁ , ନ ହେଲେ ୭ ଦିନ ଭିତରେ ଆଉ ଗୋଟେ ପରୀକ୍ଷା କରନ୍ତୁ ।ବେଶି ଡେରି ହେଲେ ମୋ ପୁଅ ଯାହା ପଢ଼ିଛି ସବୁ ଭୁଲିଯିବ ।”
ମାତ୍ର ସାର ! ଆପଣତ ଜାଣନ୍ତି , ମୁଁ କ’ଣ , Iମୋର ଜମାରୁ ଆଉ ଥରେ ପରୀକ୍ଷା ଦେବାକୁ ଇଚ୍ଛା ନାହିଁ। କାରଣ ଆଉଥରେ ପରୀକ୍ଷା ଦେଲେ ଯଦି ୬୨ଶତକଡ଼ା ନମ୍ବରଟା ୨୬ଶତକଡ଼ା ହୋଇଗଲା , ତେବେ, କରିଆ ବି ଯିବ, କଚିମ ବି ଯିବ ।
କରୋନାସାର !
ମୋର ଆଉ ଗୋଟେ ଅନୁରୋଧ, ଆପଣ ଯଦି ଆଉ ୨ବର୍ଷ ରହି ଯାଆନ୍ତେ ମୁଁ ବେଧଡକ୍ ସାଇନ୍ସ ପଢନ୍ତି ।
ସାର! ଆଉ ଗୋଟେ କଥା, ଆପଣ ଟିକେ ମୋ ବାପା-ବୋଉକୁ ବୁଝାଇ ଦେବେ ,”ରାଧୁଆ ଆଉଥରେ କାହିଁକି ପରୀକ୍ଷା ଦେବ, ମୁଁ ତ ଅଛି । ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ “କରୋନାସାରଙ୍କ “ବଦଳି ହେଉନି । ତେଣୁ ଭୁବେନଶରର ଗୋଟେ କଲେଜରେ ନାମ ଲେଖିଦିଅନ୍ତୁ ।ମଜା ବି ହେବ , ସାଟି ପିକେଟ ବି ମିଳିବ।” ଏ କଥା ମୋ ବାପା-ବୋଉକୁ କହିବେନି । । ଏତିକିରେ ରହୁଛି। ଇତି ଆପଣଙ୍କର
ଗଧିଆ ରାଧୁଆ