ଗତକାଲି ପାକିସ୍ତାନର ଅଭିଯୋଗର କଡା ଜବାବ ରଖିଛି ଭାରତ | ପାକିସ୍ତାନ ଚିରାଚରିତ ଢଙ୍ଗରେ କାଶ୍ମୀର ପ୍ରସଙ୍ଗ ଉଠେଇବାରୁ ସର୍ବସମ୍ମୁଖରେ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି | ସୂଚନା ଅନୁଯାୟୀ ନ୍ୟୁ ୟର୍କ ରେ ଅନୁଷ୍ଠିତ ଜାତିସଙ୍ଘର ୭୮ତମ ଅଧିବେଶନରେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇବା ବେଳେ ଭାରତ କଡା ଜବାବ ରଖିଛି | ପାକିସ୍ତାନର ଆନ୍ତରୀଣ ମନ୍ତ୍ରୀ ଅନୱର ଉଲ ହକ୍ କାଶ୍ମୀର ଭାରତର ଅଂଶ ନୁହେଁ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ | ଏହାର ଉତ୍ତର ଦେବାକୁ ଯାଇ ଭାରତୀୟ ମିଶନର ସଚିବ ପେଟଲ ଗେହଲଟ କହିଛନ୍ତି ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ଏବଂ ଭାରତର ଘରୋଇ ପ୍ରସଙ୍ଗରେ ପାକିସ୍ତାନ କୌଣସି ଟିପ୍ପଣୀ ରଖିପାରିବନାହିଁ |
କ୍ରମାଗତ ଭାବେ ପାକିସ୍ତାନ ଭାରତ ବିରୋଧୀ ପ୍ରଚାର ପାଇଁ ଅନ୍ତର୍ଜାତୀୟ ମଞ୍ଚ ବ୍ୟବହାର କରୁଛି | ଏସବୁ ଭିନ୍ନ ପାକିସ୍ତାନ ଦକ୍ଷିଣ ଏସିଆର ଶାନ୍ତି ବୃଦ୍ଧି ପାଇଁ ସୀମାପାର ଆତଙ୍କବାଦ ବନ୍ଦ କରୁ, ବେଆଇନ ଭାବେ ପାକ ଅଧିକୃତ କାଶ୍ମୀର ଓ ଅନ୍ୟାନ୍ୟ ଅଞ୍ଚଳକୁ ଛାଡିଦେଉ ଏବଂ ସଂଖ୍ୟାଲଘୁଙ୍କ ମାନବାଧିକାର ଉଲଂଘନ ବନ୍ଦ ହେଉ ବୋଲି ଭାରତ ମତ ପୋଷଣ କରିଛି | ଏଥିସହ ୨00୮ର ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପଛର ଅପରାଧୀଙ୍କ ପାଇଁ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଭାରତ ତାର ସ୍ପଷ୍ଟୋକ୍ତି ଉପସ୍ଥାପନ କରିଛି |