ବୁଧବାର ଏସୀୟ କ୍ରୀଡାରେ ଓଡିଶାର କିଶୋର ଜେନା ଜାଭେଲିନରେ ଭାରତ ପାଇଁ ରୌପ୍ୟ ପଦକ ଜିତି ଦେଶ ତଥା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି | ଅନୁରୂପ କ୍ରମାଗତ ଭାବେ ଭାରତକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଯାତ୍ରା ଜାରି ରଖିଛନ୍ତି ଭାରତୀୟ ଗୌରବ ନୀରଜ ଚୋପ୍ରା | ନୀରଜ 88.88 ମିଟରର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ଏବଂ କିଶୋର 87.54 ମିଟର ସହ ଦ୍ଵିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି | ଏହି ସଫଳତା ଲାଭ ପରେ ନୀରଜଙ୍କ ସହ କିଶୋର ମଧ୍ୟ ପ୍ୟାରିସ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି | କିଶୋର ପୁରୀ ଜିଲ୍ଲାର କୋଠସାହି ଗ୍ରାମର ପୁଅ ଏବଂ ତାଙ୍କର ଏହି ସଫଳତାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ କ୍ରୀଡ଼ାପ୍ରେମୀଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି |