ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଘରୋଇ ଏଲ୍ପିଜି ଦର ୫୦ ଟଙ୍କା ବଢ଼?ାଇଛନ୍ତି। ଉଭୟ ସାଧାରଣ
ଗ୍ରାହକ ଏବଂ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ଦର ବୃଦ୍ଧି କରାଯାଇଛି। ଚଳିତ ମାସ ୮
ତାରିଖ (ମଙ୍ଗଳବାର)ଠାରୁ ଏହାକୁ ଲାଗୁ କରାଯିବ। ଏଥିଯୋଗୁ ସାଧାରଣ ଗ୍ରାହକ ବ୍ୟବହାର କରୁଥିବା
ଘରୋଇ ଏଲ୍ପିଜି ଦର ୮୦୩ ଟଙ୍କାରୁ ବୃଦ୍ଧି ଘଟି ୮୫୩ ଟଙ୍କାରେ ପହଂଚିଛି। ସେହିଭଳି ଉଜ୍ଜ୍ୱଳା
ଯୋଜନାରେ ପ୍ରଦାନ କରାଯାଉଥିବା ଏଲ୍ପିଜି ଦର ୫୦୦ ଟଙ୍କା ପରିବର୍ତେ ୫୫୦ ଟଙ୍କାରେ ପହଂଚିଛି।
ଏଥିସହିତ ଆଗାମୀ ଦିନରେ ପ୍ରତି ୨ରୁ ୩ ସପ୍ତାହରେ ଏହି ଦରର ସମୀକ୍ଷା କରାଯିବ ବୋଲି କେନ୍ଦ୍ର
ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ଭୁବନେଶ୍ୱରରେ ବର୍ତମାନ ୧୪.୨ କିଗ୍ରା ବିଶିଷ୍ଟ
ଘରୋଇ ଏଲ୍ପିଜି ଦର ୮୨୯ ଟଙ୍କା ରହିଛି। ତେଣୁ ୫୦ ଟଙ୍କା ବୃଦ୍ଧି ପାଇଲେ ଏହା ୮୭୯ ଟଙ୍କା
ସ୍ତରରେ ପହଂଚିବ। ଗୋଟିଏ ପଟେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ
ଲିଟର ପିଛା ୨ ଟଙ୍କା ବଢ଼ାଇଛନ୍ତି। ଯଦିଓ ଏହାର ବୋଝ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ ବୋଲି
କୁହାଯାଇଛି ଅନ୍ୟପଟେ କିନ୍ତୁ ଏଲ୍ପିଜି ଦର ବଢ଼ାଇ ସାଧାରଣ ଲୋକଙ୍କ ଉପରେ ଦରଦାମ ବୋଝକୁ
ଲଦି ଦେଇଛନ୍ତି। ଗ୍ୟାସ ବିକ୍ରି ବାବଦରେ ତୈଳ କମ୍ପାନିଗୁଡ଼ିକ ସହିଥିବା ୪୩ ହଜାର କୋଟି ଟଙ୍କାର
କ୍ଷତିର କିଛି ଅଂଶ ଭରଣା କରିବା ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବଢ଼ାଯାଇଛି
ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଆଗାମୀ ଦିନରେ ରନ୍ଧନ ଗ୍ୟାସ ଦର ବୃଦ୍ଧିର ସମୀକ୍ଷା ପ୍ରତି
୧୫ରୁ ୩୦ ଦିନରେ କରାଯିବ ବୋଲି ସେ କହିଛନ୍ତି।