ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପ୍ରେସମିଟ୍ । ବ୍ରହ୍ମପୁର ସ୍ୱତନ୍ତ୍ର ସର୍କିଟ ହାଉସ୍ରେ ଖଣି ମନ୍ତ୍ରୀଙ୍କ ପକ୍ଷରୁ ଏକ ପ୍ରେସମିଟ୍ କରିଛନ୍ତି । ଖଣି ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ଖଣି ଦୁର୍ନୀତି ଲାଗି ଭିଜିଲାନ୍ସକୁ ଦାୟିତ୍ୱ ଦିଆଯାଇଛି ।
ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲ ଅଞ୍ଚଳରେ ଦୀର୍ଘ ଧରି ବେଆଇନ ଖଣି ଉତ୍ତୋଳନ ଚାଲିଛି । ଏନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଖଣି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଓ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ବିଭାଗୀୟ ଅଧିକାରୀଙ୍କ ସହିତ ଉକ୍ତ ସ୍ଥାନରେ ପହଞ୍ଚି ବେଆଇନ ଖଣି ଖନନ ଓ ଚାଲାଣ ସମ୍ବନ୍ଧିତ ରିପୋର୍ଟ ସଂଗ୍ରହ କରିଥିଲେ। ପରେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ଆଲୋଚନା କରିଥିଲେ । ତେବେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାର ଏହି ଦୁଇଟି ତହସିଲରେ ହୋଇଥିବା ବ୍ୟାପକ ଖଣି ଦୁର୍ନୀତି ପର୍ଦ୍ଦାଫାସ୍ ପାଇଁ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ତହସିଲରେ ୨୨ଟି ଖଣିରୁ ବେଆଇନ ଭାବେ ୯,୮୪୩ ମେଟ୍ରିକ୍ ଟନ୍ରୁ ଅଧିକ ପରିମାଣର କୋଇଲା ଉତ୍ତୋଳନ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ । ଏହି ମୋଟ୍ କୋଲ୍ ମାଇନ୍ସ ମଧ୍ୟରୁ ୧୪ଟି ଗୋପାଳପୁର ଗାଁରେ, ୩ଟି ରନ୍ସୋରା ଗାଁରେ ଓ ୫ଟି ଭୋଗରାକଚର ଗାଁରେ ଅବସ୍ଥିତ । ଏଗୁଡ଼ିକ ମୁଖ୍ୟତଃ ଜଙ୍ଗଲ କିସମର ଜମି । ଏଥିସହିତ ହେମଗିରିର ଜାମଖାନି ସଂରକ୍ଷିତ ଜଙ୍ଗଲ ଓ ଭୋଗରାକଚର ଗାଁରେ ମଧ୍ୟ ବେଆଇନ ଭାବେ କୋଇଲା ଗଚ୍ଛିତ କରାଯାଇଥିବା ସୂଚନା ରହିଛି । ସେହିପରି କୋଇଡ଼ା ତହସିଲ ଅନ୍ତର୍ଗତ ମାଲଦା, ପଟାବେଡ଼ା, ସାନପୁଟୁଳି, କୋଲମଙ୍ଗ ଓ ରୁସିବେଣୁଆଠାରେ ୪୭ଟି ମାଙ୍ଗାନିଜ୍ ଓ ୩ଟି ଲୌହ ଖଣିରୁ ବେଆଇନ ଭାବେ ମାଙ୍ଗାନିଜ୍ ଓ ଲୁହା ପଥର ଉତ୍ତୋଳନ କରାଯାଉଥିବାର ନଜର ଆସିଛି । ଏହି ମୋଟ୍ ୫୦ଟି ଖଣି ମଧ୍ୟରୁ ୧୬ଟି ପଟାବେଡ଼ା ଗାଁରେ ରହିଛି । ୧୦ଟି ମାଲଦା ଗାଁରେ, ୨୦ଟି କୋଲମଙ୍ଗ ଗାଁରେ ଏବଂ ଅବଶିଷ୍ଟ ୪ଟି ସାନପୁଟୁଳି ଓ ରୁସିବେଣୁଆ ଗାଁରେ ଅବସ୍ଥିତ । ଏସବୁ ଖଣିରୁ ୨୦ ହଜାର ମେଟ୍ରିକ୍ ଟନ୍ରୁ ଅଧିକ ମାଙ୍ଗାନିଜ ଓର୍ ଓ ୧,୨୦୦ ମେଟ୍ରିକ୍ ଟନ୍ରୁ ଉର୍ଦ୍ଧ୍ବ ପରିମାଣର ଲୁହାପଥର ବେଆଇନ ଭାବେ ଉତ୍ତୋଳନ କରାଯାଇଛି I ଯାହାର ଆନୁମାନିକ ମୂଲ୍ୟ ୩୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ଯେଉଁ ଖଣି ମାଫିଆ ମାନେ ମାଇନ୍ସ ମିନେରାଲ୍ ଡେଭଲ୍ପମେଣ୍ଟ ରେଗୁଲେସନକୁ ଖିଲାପ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ତଦନ୍ତ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ଖଣି ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ବ୍ରହ୍ମପୁର ସର୍କିଟ୍ ହାଉସରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ବିଧାୟକ କେ. ଅନିଲ୍ କୁମାର ମଧ୍ୟ ଉପସ୍ଥିତ ଥିଲେ ।