ଶ୍ରେଣୀଗୃହରେ ତାଲା ପଡ଼ିଥିବାବେଳେ ସପ୍ତାହେ ହେଲା ବାରଣ୍ଡାରେ ବସୁଛନ୍ତି ଛାତ୍ରଛାତ୍ରୀ। ପୂର୍ବରୁ କୌଣସି ସୂଚନା ନ ଥିବାରୁ ଏହି ପିଲାମାନେ ଅନ୍ୟ କେଉଁଠି ନାମଲେଖାଇ ନଥିବାବେଳେ ବିଦ୍ୟାଳୟକୁ ପୂର୍ବପରି ଆସୁଛନ୍ତିଟ୍ଟ କିନ୍ତୁ ନା ଶ୍ରେଣୀଗୃହରେ ବସି ଶିକ୍ଷାଲାଭ କରିପାରୁଛନ୍ତି ନା ମଧ୍ୟାହ୍ନଭୋଜନ ପାଉଛନ୍ତି। ଏପରି ଚିତ୍ର କୌଣସି ଉପାନ୍ତ ଅଞ୍ଚଳର ନୁହେଁ। ରାଜଧାନୀରେ ଥିବା ରେଲୱେ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ବିଦ୍ୟାଳୟର ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ଏବେ କ’ଣ କରିବେ କିଛି ବୁଝି ପାରୁନାହାନ୍ତି।
ପୂର୍ବ ସରକାର ଛାତ୍ରଛାତ୍ରୀ ସଂଖ୍ୟା କମ୍ ଥିବା ସ୍କୁଲଗୁଡିକୁ ବନ୍ଦ କରିଦେଇଥିଲେ। ବର୍ତ୍ତମାନର ସରକାର ପୁଣିଥରେ ବନ୍ଦ ଥିବା ସ୍କୁଲଗୁଡିକୁ ଖୋଲିବା ପାଇଁ ଘୋଷଣା କରିଛନ୍ତି। ଏପରିସ୍ଥଳେ ଚାଲୁଥିବା ସ୍କୁଲକୁ ବନ୍ଦ କରାଯିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଆସିବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ହରଡ଼ଘଣାରେ ପଡ଼ିଛନ୍ତି। ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହ ଭିତରକୁ ନ ଛାଡ଼ିବା ପାଇଁ କକ୍ଷରେ ତାଲା ପକାଯାଇଥିବାରୁ ନିରୁପାୟ ହୋଇ ସେମାନେ ବାରଣ୍ଡାରେ ବସିବାର ଦୃଶ୍ୟ ଅଭିଭାବକଙ୍କୁ ବ୍ୟଥିତ କରିଛି। ଏହାସହିତ ମଧ୍ୟାହ୍ନ ଭୋଜନରୁ ବାଦ ଦିଆଯାଇଥିବା ବେଳେ ସ୍କୁଲରେ ନାମଲେଖା ବନ୍ଦ କରିବାକୁ ମଧ୍ୟ ନିର୍ଦେଶ ରହିଛି।