ଜାତିସଂଘର ଶୀର୍ଷ ଅର୍ଥଶାସ୍ତ୍ରୀ ତଥା ଅନ୍ତର୍ଜାତୀୟ ବାଣିଜ୍ୟ କେନ୍ଦ୍ର (ଆଇଟିସି)ର କାର୍ଯ୍ୟକାରୀ ନିର୍ଦ୍ଦେଶିକା ପାମେଲା କୋକ-ହେମିଲ୍ଟନ ଜେନେଭାରେ କହିଛନ୍ତି ଯେ ଏହି ଟାରିଫର ପ୍ରଭାବ ବିଶ୍ୱ ବାଣିଜ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖାଯିବ। ଉଦାହରଣ ରୂପେ ମେକ୍ସିକୋର ରପ୍ତାନୀ ଯାହା ଏପର୍ଯ୍ୟନ୍ତ ଆମେରିକା, ଚୀନ ଓ ୟୁରୋପ ଭଳି ବଜାର ଉପରେ ନିର୍ଭର ଥିଲା ତାହା କ୍ରମେ କାନାଡା, ବ୍ରାଜିଲ ଓ କିଛିକାଂଶରେ ଭାରତ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇପାରେ।
ସେହିପରି ଭିଏତନାମର ରପ୍ତାନୀ ମଧ୍ୟ ଆମେରିକା ଚୀନ୍ ରୁ ହଟି ମଧ୍ୟପ୍ରାଚ୍ୟ, ଉତ୍ତରଆଫ୍ରିକା, ୟୁରୋପ ଓ କୋରିଆ ଭଳି ବଜାରକୁ ଯାଉଛି। ଏଥିରେ ହାମିଲ୍ଟନ କହିଛନ୍ତି ଯେ ଏପରି ଏକ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ଯାହା ଭାରତକୁ ଅଧିକ ଲାଭାନ୍ୱିତ କରିବ। ଏଣୁ ଭାରତ ଭଳି ଏକ ବିକାଶଶୀଳ ଦେଶ ପାଇଁ ଏହା ଏକ ସୁଯୋଗ ହୋଇପାରେ। ଫ୍ରାନସିସି ଅର୍ଥଶାସ୍ତ୍ର ଗବେଷଣା ସଂସ୍ଥା ଓ ସିଇପିଆଇଆଇଙ୍କ ପ୍ରାରମ୍ଭିକ ଅନୁମାନ ଅନୁସାରେ ଏହି ଟାରିଫ ଓ ଜବାବୀ ପଦକ୍ଷେପ ଯୋଗୁ ୨୦୪୦ ସୁଦ୍ଧା ବୈଶ୍ୱିକ ଜିଡିପିରେ ୦.୭% ପ୍ରତିଶତ ହ୍ରାସ ହୋଇପାରେ।
ମେକ୍ସିକୋ, ଚୀନ, ଥାଇଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶଙ୍କ ସହିତ ଆମେରିକାକୁ ବି ଏହାର କ୍ଷତି ସହିବାକୁ ପଡିପାରେ। ଶୀର୍ଷ ଅର୍ଥ ଶାସ୍ତ୍ରୀ କହିଛନ୍ତି ଯେ ଭାରତ ଭଳି ବିକାଶଶୀଳ ଦେଶଙ୍କ ଲାଗି ଅନିଶ୍ଚିତତାର ଏହି ସମୟ ଲାଭଦାୟକ ହୋଇପାରେ। ହାମିଲ୍ଟନ ବସ୍ତ୍ର ଉଦ୍ୟୋଗର ଉଦାହରଣ ଦେଇ କହିଛନ୍ତି ଯେ ଏହି ଉଦ୍ୟୋଗ ବିକାଶଶୀଳ ଦେଶଙ୍କ ଲାଗି ଆର୍ଥିକ ଗତିବିଦ୍ଧି ଓ ରୋଜଗାରର ବଡ଼ ସ୍ରୋତ। ସେ କହିଛନ୍ତି ବାଂଲାଦେଶ ଆଜିବି ସାରା ବିଶ୍ୱରେ ଦ୍ୱିତୀୟ ସର୍ବ ବୃହତ୍ତ ବସ୍ତ୍ର ରପ୍ତାନୀକାରୀ ଦେଶ। ତାକୁ ୩୭% ଜବାବୀ ଟାରିଫର ସମ୍ମୁଖୀନ ହେବାକୁ ପଡିପାରେ। ଯଦି ଏହି ଟାରିଫ ଲାଗୁ ହେଲା ତେବେ ୨୦୨୯ ସୁଦ୍ଧା ବାଂଲାଦେଶକୁ ଆମେରିକା ରପ୍ତାନୀ ମହଙ୍ଗା ପଡିବ। ତାର ୩.୩ବିଲିୟନ ଡଲାରର ରପ୍ତାନୀ କ୍ଷତି ହୋଇପାରେ।
ଚୀନ୍ କୁ ଲକ୍ଷ କରି ଲଗାଯାଇଥିବା ଟାରିଫ ଯୋଗୁ ଆପଲ ପ୍ରଥମ ଥର ଆମେରିକାରେ ଆଇଫୋନ ତିଆରି ପାଇଁ ବାଧ୍ୟ ହେବ। ଗତ ୧୮ ବର୍ଷ ହେଲା ସେ ଅଧିକାଂଶ ଆଇଫୋନ ଚୀନ୍ ରେ ତିଆରି କରିଛି। ଏଣୁ କମ୍ପାନୀକୁ ନିଜ ଦେଶର ଉତ୍ପାଦକୁ ଦେଶକୁ ମଗାଇବା ପାଇଁ ୧୪୫%ଟାରିଫ ସହିତ ମଗାଇବାକୁ ପଡିବ। ଏଥିରେ ଜଟିଳ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବା ସହ ଆପଲ ଆଇଫୋନ ମୂଲ୍ୟକୁ ୩ ଗୁଣା ଅଧିକ ବଢାଇବାକୁ ପଡିବ। ଏଣୁ ବିକ୍ରି ପ୍ରଭାବିତ ହେବ।